୫ ମିନିଟ ବ୍ୟବଧାନରେ ଦୁଇଟି କରୋନା ଟିକା ନେଲେ ମହିଳା

ପାଟନା : ବିହାରର ପାଟନା ଗ୍ରାମାଞ୍ଚଳରେ ଟିକାକରଣ ଖାମଖିଆଲ ମନୋଭାବର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି । ମାତ୍ର ୫ ମିନିଟର ବ୍ୟବଧାନରେ ଜଣେ ମହିଳାଙ୍କୁ ଦୁଇ ଦୁଇଟି କରୋନା ଟିକା ଦିଆଯାଇଛି । କେବଳ ସେତିକି ନୁହେଁ ମହିଳା ଜଣଙ୍କୁ ପ୍ରଥମେ କୋଭିସିଲଡ ଟିକା ଦିଆଯାଇଥିବା ବେଳେ ପରେ କୋଭାକ୍ସିନ ଟିକା ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ମହିଳାଙ୍କ ଠାରେ ପାଶ୍ୱର୍ ପ୍ରତିକି୍ରୟା ଦେଖିବାକୁ ମିଳିନାହିଁ ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଗତ ୧୬ ତାରିଖରେ ପାଟନା ପୁନପୁନ ଅଞ୍ଚଳରେ ସୁନୀଲା ଦେବୀ ନାମ୍ନୀ ମହିଳାଙ୍କ ଠାରେ ଟିକାର ଏଭଳି ପ୍ରୟୋଗ କରାଯାଇଛି । ୬୩ ବର୍ଷୀୟା ସୁନୀଲା ଯେତେବେଳେ ବେଲଦାରୀଚକ ମିଡିଲ ସ୍କୁଲରେ ପହଞ୍ଚିଲେ ସେତେବେଳେ ସେଠାରେ ଉପସ୍ଥିତ ନର୍ସ ଚଞ୍ଚଳା କୁମାରୀ ଓ ସୁନୀତା କୁମାରୀ ତାଙ୍କୁ ୫ ମିନିଟ ବ୍ୟବଧାନରେ ଭିନ୍ନ ଭିନ୍ନ ଟିକା ଦେଇଥିଲେ । ଏହି ମାମଲାରେ ଦୁଇ ନର୍ସଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି ।
Powered by Froala Editor