ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଆନନ୍ଦପୁର ବିଧାୟକ
ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଶ୍ରୀ ସେଠୀ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ନିକଟରେ ଦଳ ଆନନ୍ଦପୁର ଆସନ ଲାଗି ଅଭିମନ୍ୟୁ ସେଠୀଙ୍କ ନାମ ଘୋଷଣା କରିଥିଲା। ଏନେଇ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫାପତ୍ର ପଠାଇଛନ୍ତି ବୋଲି ଶୁଣିବାକୁ ମିଳିଛି । ତେବେ କିନ୍ତୁ ସେ କେଉଁ କାରଣ ପାଇଁ ଇସ୍ତଫା ଦେଇଛନ୍ତି, ତାହା ଜଣାପଡ଼ି ନାହିଁ।
ଭାଗିରଥୀ ସେଠୀ ୨୦୦୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ଆଉ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ୨୦୧୪ରେ ତାଙ୍କ ଟିକଟ କାଟିଦେଇଥିଲା ବିଜେଡି। ତାଙ୍କ ସ୍ଥାନରେ ମାୟାଧର ଜେନାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଯେଉଁଥିପାଇଁ ସେ ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ। କିନ୍ତୁ ନିର୍ବାଚନ ଲଢ଼ିନଥିଲେ।
୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ସେଠୀଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ତାଙ୍କର ବିଜୟ ସମ୍ଭାବନା ଅଧିକ ଥିବା ଜାଣିପାରି ବିଜେଡି ତାଙ୍କୁ ଦଳରେ ମିଶାଇଥିଲା। ଆଉ ତା’ପରେ ଶ୍ରୀ ସେଠୀ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ଏଥର ସେ ପ୍ରାର୍ଥୀ ହେବେ ବୋଲି ଆଶା କରିଥିଲେ। ହେଲେ ଦଳ ତାଙ୍କୁ ନିରାଶ କରିଥିଲା। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ।
ପ୍ରକାଶ ଯେ, ଆଉ ଜଣେ ବିଜେଡି ନେତା ଦଳ ଛାଡ଼ିଥିଲେ। ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିଲେ।
Powered by Froala Editor