ଦିବ୍ୟ ଫାର୍ମାସୀର ୧୪ ପ୍ରଡକ୍ଟ ବ୍ୟାନ୍
ଭ୍ରମିତ ବିଜ୍ଞାପନ ପାଇଁ ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ପକ୍ଷରୁ ଛପାଯାଇଥିବା କ୍ଷମା ପ୍ରାର୍ଥନା ଉପରେ ସୁପ୍ରିମକୋର୍ଟ ଏପ୍ରିଲ ୩୦ରେ ଶୁଣାଣି କରିବେ। ମଙ୍ଗଳବାର ଉଭୟ ବାଳକୃଷ୍ଣ ଓ ରାମଦେବ କୋର୍ଟରେ ଉପସ୍ଥିତ ରହିବେ। ଏହା ପୂର୍ବରୁ ପତଞ୍ଜଳୀ କମ୍ପାନୀକୁ ଶକ୍ତ ଝଟ୍କା ଲାଗିଛି। ସୋମବାର ଉତ୍ତରାଖଣ୍ଡ ସରକାର ୧୪ ପତଞ୍ଜଳୀ ପ୍ରଡକ୍ଟର ଲାଇସେନ୍ସ ରଦ୍ଦ କରିଛନ୍ତି।
ଏନେଇ ଲାଇସେନ୍ସ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।ପତଞ୍ଜଳୀର ଦିବ୍ୟା ଫାର୍ମାସୀ କମ୍ପାନୀର ୧୪ଟି ସାମଗ୍ରୀର ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ସତ୍ୟପାଠରେ କୁହାଯାଇଛି। ଦିବ୍ୟ ଫାର୍ମାସୀର ବ୍ୟାନ୍ କରାଯାଇଥିବା ପ୍ରଡକ୍ଟଗୁଡ଼ିକ ହେଲା-ଦୃଷ୍ଟି ଆଇ ଡ୍ରପ୍, ସ୍ୱାସରି ଗୋଲ୍ଡ, ସ୍ୱାସରି ଭଟି, ବ୍ରୋଙ୍କୋମ ସ୍ୱାସରି ପ୍ରବାହୀ, ସ୍ୱାସରୀ ଅବଲେହ,ମୁକ୍ତା ଭଟି ଏକ୍ସଟ୍ରା ପାୱର, ଲିପିଡୋମ, ବିପି ଗ୍ରିଟ୍, ମଧୁଗ୍ରିଟ, ମଧୁନାଶିନି ଭଟି ଏକ୍ସଟ୍ରା ପାୱାର, ଲିଭଅମ୍ରିତ ଆଡ୍ଭାନ୍ସ, ଲିଭୋଗ୍ରିଟ ଏବଂ ଆଇଗ୍ରିଟ୍ ଗୋଲ୍ଡ ।
ଏହା ପୂର୍ବରୁ ରାମଦେବ ଓ ବାଳକୃଷ୍ଣ ମହାମାରୀ ସମୟରେ ପତଞ୍ଜଳୀ କୋରୋନୀଲ ଭଳି ସାମଗ୍ରୀ କରିଥିବା ଦାବିକୁ ନେଇ କୋର୍ଟଙ୍କ ଆଗରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଏହାପରେ କୋର୍ଟ ପତଞ୍ଜଳିକୁ ନିଜ ସାମଗ୍ରୀର ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ପତଞ୍ଜଳି ୬୭ଟି ଖବରକାଗଜରେ କ୍ଷମା ପ୍ରାର୍ଥନା କରିଥିବା କୋର୍ଟରେ ସ୍ୱୀକାର କରିଥିଲା। ଏଭଳି ଭୁଲ ଆଉ ହେବନାହିଁ ବୋଲି କମ୍ପାନୀ ଜୋର୍ ଦେଇ କହିଥିଲା। ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପତଞ୍ଜଳି ପୁଣି ଖବରକାଗଜରେ କ୍ଷମାପ୍ରାର୍ଥନା ଛାପିଥିଲା। ତେବେ ପୂର୍ବ ଅପେକ୍ଷା ଏଥର ବଡ଼ କ୍ଷମାପ୍ରାର୍ଥନା ଛାପିଥିଲା।
Powered by Froala Editor