ମେଣ୍ଟ ଚର୍ଚ୍ଚା: ଏମିତି କହି ବିଜେଡିକୁ ଖୋଲା ଚ୍ୟାଲେଞ୍ଜ କଲେ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର:ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ କେତେ ଆସନ ପାଇବ। ଗତ କିଛିଦିନ ଧରି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ବିଜେପି ଓ ବିଜେଡି ଭିତରେ ମେଣ୍ଟ ଚର୍ଚ୍ଚା ଭିତରେ ନିକଟରେ ବିଜେପିରେ ମିଶିଥିବା ପ୍ରଦୀପ ପାଣିଗ୍ରାହୀ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଦମ ଅଛି ତ ବିଜେଡି ଏକା ଲଢିବ ବୋଲି କହୁ ବୋଲି ପ୍ରଦୀପ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ଯାଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭାର ସୁନାମୀ ଦେଖି ବିଜେଡି ଏକରକମର ଛାନିଆ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚଳିତ, ଅସ୍ଥିର ହୋଇପଡ଼ିଛନ୍ତି ।ମେଣ୍ଟ ଆଲୋଚନା ହୋଇନାହିଁ ବୋଲି ବିଜେପି ରାଜ୍ୟସଭାପତି ମନମୋହନ ସାମଲ କହିସାରିଥିବା ପ୍ରଦୀପ କହିଛନ୍ତି । ତେବେ ୧୧୨ ସିଟ ଜିତିଥିବା ବିଜେଡି ମେଣ୍ଟ ହେବନି ବୋଲି ସିଧା କହୁନାହିଁ । ମେଣ୍ଟ ହେଲେ ପ୍ରଦୀପଙ୍କୁ ଟିକେଟ ଦେବନି ବୋଲି ସର୍ତ୍ତ ଥିବା ଚର୍ଚ୍ଚା ହେଉଛି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।
ଅନ୍ୟପଟେ ବିଜେପି ଓ ବିଜେଡି ଭିତରେ ମେଣ୍ଟ ଚର୍ଚ୍ଚାକୁ ନେଇ ବିଜେଡି ବିଧାୟକ ନୃସିଂହଚରଣ ସାହୁ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କେବଳ ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ମେଣ୍ଟ ପାଇଁ ରାଜି ହୋଇଛି । କେନ୍ଦ୍ର ସହ ଭଲ ବୁଝାମଣା ରହିଲେ ରାଜ୍ୟର ବିଭିନ୍ନ ସୁବିଧା ହେବ ବୋଲି ଆଶା ଅଛି । ଲାଭ ପାଇଁ ହିଁ ମେଣ୍ଟ ହୁଏ । ନୃସିଂହ ଏହାମଧ୍ୟ କହିଛନ୍ତି, ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ରୁ ଅଧିକ ଆସନରେ ଜିତିବ । କିନ୍ତୁ ମେଣ୍ଟ ହେଲେ କେତେ ଆସନରେ ବିଜେଡି ଲଢିବ ସେନେଇ ମୁହଁ ଖୋଲିନାହାନ୍ତି ନୃସିଂହ । ଏହି ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେବେ ବୋଲି କହିଛନ୍ତି ନୃସିଂହ । ନୃସିଂହ କହିଛନ୍ତି ମେଣ୍ଟ ବାବଦରେ ବିଭିନ୍ନ ଚର୍ଚ୍ଚା ହେଉଛି । ମେଣ୍ଟ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତି ନେବେ ଦଳ ତାହା ମାନିବ । ମେଣ୍ଟ ହେଲେ ବିଦ୍ରୋହୀ ବାହାରିଲା ଭଳି ଲାଗୁନି । ସିଟ କଟିବ କିନ୍ତୁ ବିଦ୍ରୋହୀ ହେବା ଭଳି ଲାଗୁନି । ଯେଉଁ ମାନେ ବିଜେଡ଼ି ପ୍ରତି ବିଶ୍ଵସ୍ତ ସେମାନେ ଦଳରେ ରହିବେ ।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ପୁଣି ମେଣ୍ଟ ଚର୍ଚ୍ଚା ଭିତରେ ଆଉ ଏକ ବଡ଼ ବୟାନ ଦେଇଛନ୍ତି । ଭଦ୍ରକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ସାମଲ ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ନିଜ ମନ୍ତବ୍ୟକୁ ଦୋହରାଇଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡି ଭିତରେ ମେଣ୍ଟ ହେବ ବୋଲି କିଏ ପ୍ରଚାର କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଯିଏ ମେଣ୍ଟ ସମ୍ପର୍କରେ ଚର୍ଚ୍ଚା କରୁଛି ସେ ହିଁ ତା’ର ଉତ୍ତର ଦେଇପାରିବ । ଏପରିକି ଆସନ୍ତା ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଲର ଲହର ଖେଳିବ ବୋଲି ଶ୍ରୀ ସାମଲ ଦୃଢୋକ୍ତ ପ୍ରକାଶ କରିଛନ୍ତି ।
Powered by Froala Editor