ବିଜେଡି ଏବଂ ବିଜେପି ନେଇ ଆଜି ହୋଇପାରେ ମେଣ୍ଟ ଘୋଷଣା
ଭୁବନେଶ୍ୱର:ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏବଂ ବିଜେପିମେଣ୍ଟ ଗଠନକୁ ନେଇ ଚର୍ଚ୍ଚା ଲାଗିରହିଛି। ବୁଧବାର ନବୀନ ନି1ବାସରେ ବିଜେଡି ନେତାଙ୍କ ବୈଠକ ଓ ସନ୍ଧ୍ୟାରେ ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିଜେପି ନେତାଙ୍କ କୋର୍ କମିଟି ବୈଠକ ହୋଇଥିଲା। ତେବେ ବୈଠକରେ କ’ଣ ନିଷ୍ପତ୍ତି ହୋଇଛି ସେ ନେଇ ଉଭୟ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷରେ ଗୁରୁବାର ସନ୍ଧ୍ୟାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନୂଆଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି। ଆସନ ବୁଝାମଣା ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେବିଜେପିର ରାଷ୍ଟ୍ରୀୟ ନେତାଙ୍କ ସହ ଆଲୋଚନା କରିବା ନେଇ ଉଭୟେ ଦିଲ୍ଲୀ ଗସ୍ତ କରିଥିବା କୁହାଯାଉଛି।
ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବା କେବଳ ଔପଚାରିକ ଘୋଷଣା ବାକି ରହିଛି। ଆସନ ବୁଝାମଣା ଚୂଡ଼ାନ୍ତ ହେବା ପରେ ଉଭୟ ଦଳ ପକ୍ଷରୁ ମେଣ୍ଟ ନେଇ ଶୁକ୍ରବାର ଘୋଷଣା କରାଯାଇପାରେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୪ ଓ ୨୦୦୯ରେ ହୋଇଥିବା ମେଣ୍ଟଠାରୁ ନୂଆ ମେଣ୍ଟ ଭିନ୍ନ ହେବ। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହେଲେ ମଧ୍ୟ କେହି ସରକାରରେ ସାମିଲ ହେବେ ନାହିଁ। ଅର୍ଥାତ୍ ବିଜେଡି କେନ୍ଦ୍ରରେ ଏନ୍ଡିଏର ଅଂଶୀଦାର ଦଳ ହେଲେ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବ ନାହିଁ। ସେହିପରି ରାଜ୍ୟରେ ବିଜେପି ବିଜେଡି ସହିତ ବିଧାନସଭା ଆସନ ବୁଝାମଣା କଲେ ମଧ୍ୟ ସରକାରରେ ସାମିଲ ହେବ ନାହିଁ। ବାହାରେ ରହି ଉଭୟ ଉଭୟଙ୍କୁ ସମର୍ଥନ କରିବେ। ଅନ୍ୟପକ୍ଷରେ ଆସନ୍ତା ୧୨ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା କାର୍ୟ୍ୟକ୍ରମ ରହିଛି। ଏହି ଅବସରରେ ଉଭୟ ଦଳ ପକ୍ଷରୁ ମିଳିତ ଭାବେ ମେଣ୍ଟ ନେଇ ଘୋଷଣା ହୋଇପାରେ ବୋଲି ମଧ୍ୟ କୁହାଯାଉଛି।
Powered by Froala Editor