ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ପଶ୍ଚିମବଙ୍ଗ ଲକଡାଉନ
ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲକଡାଉନ ବଢାଇଛନ୍ତି । ହେଲେ ଅନେକ କ୍ଷେତ୍ରରେ ମଧ୍ୟ କଟକଣା କୋହଳ କରିଛନ୍ତି । ବିଧାନସଭା ନିର୍ବାଚନ ପରେ ସଂକ୍ରମଣ ହୁହୁ ହୋଇ ବଢିବାରେ ଲାଗିଥିଲା । ଏହି କାରଣରୁ ଲକଡାଉନ କରାଯାଇଥିଲା । ସେଠାକାର ସରକାର ପୁନଶ୍ଚ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନର ଅବଧିକୁ ବଢାଇଛନ୍ତି । ଏନେଇ ସୋମବାର ଦିନ ନୂଆ ଗାଇଡଲାଇନ ଜାରି କରାଯାଇଛି ।
ଜାରି ହୋଇଥିବା ନୂଆ ଗାଇଡ୍ଲାଇନ୍ ଅନୁସାରେ, ରାଜ୍ୟରେ ଟ୍ରେନ୍,ବସ୍ ସେବା ପୂର୍ବପରି ବନ୍ଦ ରହିବାକୁ ଥିବା ବେଳେ ପ୍ରାଇଭେଟ ଗାଡ଼ି କିମ୍ବା କ୍ୟାବ୍ସ ଜରୁରୀ ପରିସ୍ଥିତିରେ ଅନୁମତି ମିଳିବ। ସେହିପରି ଦିନ ୧୦ଟା ଠାରୁ ଦିନ ୧ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲିବାକୁ ଅନୁମତି ଦିଆଯାଇଛି। ସରକାରୀ ଓ ଘରୋଇ ଅଫିସଗୁଡ଼ିକ ମାତ୍ର ୨୫ ପ୍ରତିଶତ ଷ୍ଟାଫ ସହିତ ସକାଳ ୧୦ରୁ ଅପରାହ୍ନ ୪ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ।
ସେହିପରି ପ୍ରତ୍ୟକ ଦିନ ସକାଳ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ପାର୍କ ଖୋଲିବାକୁ ଅନୁମତି ମିଳିଥିବା ବେଳେ କେବଳ ଟିକା ନେଇଥିବା ବ୍ୟକ୍ତି ହିଁ ପାର୍କକୁ ଯାଇପାରିବେ। ସକାଳ ୭ରୁ ଦିନ ୧୧ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ତା ସହିତ ରେଷ୍ଟୁରାଣ୍ଟ ଓ ବାରଗୁଡ଼ିକ କଟକଣା ମାନି ଗ୍ରାହକଙ୍କୁ ସେବା ଯୋଗାଇ ଦେଇପାରିବେ। କ୍ଷମତାର ୫୦% ଲୋକଙ୍କୁ ନେଇ ରେଷ୍ଟୁରାଣ୍ଟ ଓ ବାର୍ଗୁଡ଼ିକ ସେବା ଆରମ୍ଭ କରିପାରିବେ। ଦିନ ୧୨ଟାରୁ ରାତି ୮ଟା ଯାଏ ଏହା ଖୋଲିବ। ବିନା ଦର୍ଶକରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ। ବିୟୁଟି ପାର୍ଲର ଓ ସ୍ପା ଗୁଡ଼ିକ ପୂର୍ବଭଳି ଖୋଲିବ ନାହିଁ। ବାହାଘରରେ ସର୍ବାଧିକ ୫୦ ଜଣ ଓ ଶୁଦ୍ଧିକ୍ରିୟାରେ ୨୦ ଜଣ ଲୋକ ଯୋଗଦେଇପାରିବେ। ରାଜ୍ୟରେ ରାତି ୯ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ବର୍ତ୍ତମାନ ୧୭,୬୫୧ ସକ୍ରିୟ ମାମଲା ରହିଥିବା ବେଳେ ମୃତ୍ୟୁ ହାର ୧.୧୬ ପ୍ରତିଶତ ରହିଛି। ସେହିପରି ସୁସ୍ଥ ହାର ୯୭,୬୪ ପ୍ରତିଶତ ରହିଛି।
Powered by Froala Editor