ବାଣ ଶବ୍ଦରେ ବାହାଘର ପେଣ୍ଡାଲ ଭାଙ୍ଗିଦେଲା ହାତୀ

ବିବାହ ଉତ୍ସବରେ ପତିଆରା ଦେଖାଇ ବର ଆଣିଥିଲା ସୁସଜ୍ଜିତ ହାତୀ । ହେଲେ ଶବ୍ଦ ପ୍ରକମ୍ପରେ ହାତୀ ଉତ୍ତେଜିତ ହୋଇ ବାହାଘର ପେଣ୍ଡାଲ ଭାଙ୍ଗି ଦେଇଛି । ଏ ଅଘଟଣ ଘଟିଛି ଉତ୍ତରପ୍ରଦେଶ ପ୍ରୟାଗରାଜର ଆଲାମ୍ପୁର ଗାଁରେ । ସାରାଇ ଇନାୟତ ଥାନା ଏସ୍ଏଚ୍ଓ ରାକେଶ ଚୌରସିଆ ଏହି ସୂଚନା ଦେଇଛନ୍ତି ।
ବିବାହ ଉତ୍ସବରେ ହାତୀକୁ ଅଣାଯାଇଥିଲା। ବର ଓ ଅତିଥିଙ୍କୁ ସ୍ବାଗତ କରିବା ପାଇଁ କନ୍ୟା ଘର ତରଫରୁ ବାଣ ଫୁଟା ଯାଇଥିଲା। ଏଥିରେ ଉତ୍ତେଜିତ ହୋଇ ଭଙ୍ଗାରୁଜା କରିଥିଲା ହାତୀ। ଚାରି ଚକିଆ ଗାଡ଼ିଠୁ ଆରମ୍ଭ କରି ବିବାହ ପେଣ୍ଡାଲ ସବୁ ଛାରଖାର କରିଦେଇଥିଲା। ଏଥି ଯୋଗୁ କୌଣସି ମୃତାହତ ହୋଇ ନ ଥିଲେ ମଧ୍ୟ ୨ଟି କାର, କିଛି ବାଇକ୍ ଓ ବିବାହ ପାଇଁ ସଜାଯାଇଥିବା ପେଣ୍ଡାଲ ନଷ୍ଟ ହୋଇଯାଇଥିଲା। ହାତୀର ଆଚରଣ ଦେଖି ବର ଓ ଅତିଥିମାନେ ଜୀବନ ବଞ୍ଚାଇବାକୁ ଏଣେତେଣ ଦୌଡ଼ିଥିଲେ, ଯାହାର ଭିଡିଓ ଭାଇରାଲ ହୋଇଛି। ବହୁ କଷ୍ଟରେ ମାହୁତ ହାତୀକୁ ନିୟନ୍ତ୍ରଣକୁ ଆଣିଥିଲେ। ଏ ଘଟଣା ପରେ ଫରେଷ୍ଟ ରେଞ୍ଜର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।
Powered by Froala Editor