ପ୍ରଥମ ଦେଖାରେ ମନ ମିଶିଗଲା, ୯୫ ବର୍ଷରେ ବିବାହ ବନ୍ଧନରେ ବାନ୍ଧିହେଲେ
ନୂଆଦିଲ୍ଲୀ: କେହି କାହାକୁ ଜାଣି ନଥିଲେ । ପୂର୍ବରୁ ମଧ୍ୟ କିଛି ସମ୍ପର୍କ ନଥିଲା । ହଠାତ୍ ଦିନେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେଲା । ଆଉ ପ୍ରଥମ ଦେଖାରେ ଆଖିରେ ଆଖି ମିଶିଗଲା । ମନରେ ମନ ଯୋଡ଼ି ହୋଇଗଲା । ଶେଷରେ ସେମାନେ ନିଷ୍ପତ୍ତି ନେଲେ ବିବାହ ବନ୍ଧନରେ ବାନ୍ଧି ହେବାକୁ । ଶେଷରେ ଏହାକୁ ବାସ୍ତବରେ ପରିଣତ କଲେ । ନ୍ୟୁୟର୍କରେ ରହୁଥିବା ୯୫ ବର୍ଷୀୟ ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ ଏଭଳି ପ୍ରେମ ହୋଇଛି । ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ସେମାନଙ୍କ ଶ୍ୱାସତ ପ୍ରେମକୁ ଅନେକ ବେଶ୍ ପ୍ରଶଂସା ମଧ୍ୟ କରୁଛନ୍ତି ।
କରୋନା କଟକଣା ଯୋଗୁଁ ନ୍ୟୁୟର୍କରେ କିଛି ଦିନ ହେଲା ଲକଡାଉନ୍ ଜାରି ହୋଇଥିଲା । ଲୋକମାନେ ଘରେ ରହିଥିଲେ । ସଂକ୍ରମଣ କମିବା ପରେ ଅନଲକ୍ କରାଯାଇଥିଲା । ଏହି ସମୟରେ ପତ୍ନୀଙ୍କୁ ହରାଇଥିବା ଜନ୍ ସୁଲଟସଙ୍କ ସହ ହଠାତ୍ ଆନନ୍ଦ ମୋର୍-ନାଲଟନଙ୍କ ସହିତ ସାକ୍ଷାତ ହୋଇଥିଲା । ପ୍ରଥମ ଦେଖାରେ ଉଭୟଙ୍କ ମଧ୍ୟରେ କେଉଁଠି ନା କେଉଁଠି ସୃଷ୍ଟି ହୋଇଥିଲା ଦୁର୍ବଳତା । କଥା ଧୀରେ ଧୀରେ ଆଗକୁ ବଢ଼ିଥିଲା । ପରସ୍ପର ଭିତରେ ଫୋନ୍ ନମ୍ବର ଦିଆନିଆ ହୋଇଥିଲା । ଏହାପରେ ସେମାନେ କଥାବାର୍ତ୍ତା ଆରମ୍ଭ କରିଥିଲେ । ଅନେକ ଥର ସାକ୍ଷାତ ମଧ୍ୟ କରିଥିଲେ । ଇତିମଧ୍ୟରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରସ୍ପର ଉଭୟଙ୍କୁ ନିବିଡ଼ ଭାବେ ଭଲ ପାଇଥିଲେ । ଧୀରେ ଧୀରେ ଏମାନଙ୍କ ସମ୍ପର୍କ ମଜଭୁତ ହୋଇଥିଲା । ହଠାତ ଦିନେ ଜନ ସୁଲଟସ୍ ମୋରେଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଆଉ ମୋରି ବି ତାଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ । ଶେଷରେ ସେମାନେ ନିଷ୍ପତ୍ତି ନେଇଥିଲେ ତାଙ୍କ ସମ୍ପର୍କକୁ ସ୍ୱୀକୃତି ଦେବାକୁ । କୋଭିଡ କଟକଣା କୋହଳ ହେବା ପରେ ଉଭୟ ବାନ୍ଧି ହୋଇଛନ୍ତି ବିବାହ ବନ୍ଧନରେ । ବିବାହ ପୂର୍ବରୁ ଉଭୟ କୋଭିଡ ଟିକା ମଧ୍ୟ ନେଇଛନ୍ତି ।
ଏମାନଙ୍କ ବିବାହରେ ଖୁସି ଜାହିର କରିଛନ୍ତି ଜନଙ୍କ ପୁତ୍ର । ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ଖୁବ୍ ଭଲ ସମ୍ପର୍କ ରହିଛି । ବିବାହ ପରେ ସେମାନେ ଖୁସିରେ ରହିଛନ୍ତି । ଆଶା କରୁଛି ଏହି ସମ୍ପର୍କ ଏମିତି ମଜଭୁତ ରହିବ ।
Powered by Froala Editor