ଏଲପିଜି ବୁକିଂ ସମ୍ପର୍କରେ ଆସିଲା ଭଲ ଖବର
ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ରିଫିଲ କରିବା ଲାଗି ବୁକିଂ କରିବା ସମୟରେ ଗ୍ରାହକମାନଙ୍କୁ ଖୁବଶୀଘ୍ର ନିଜ ମନ ପସନ୍ଦର ବିତରକ ଚୟନ କରିବାର ସୁବିଧା ମିଳିବ । ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଚଣ୍ଡିଗଣ୍ଡ, କୋଏମ୍ବାଟୁର, ଗୁରୁଗାଓଁ, ରାଞ୍ଚି ଓ ପୁନେରେ ଆରମ୍ଭ କରାଯିବ । ଏହି ନୂଆ ବ୍ୟବସ୍ଥାରେ ଗ୍ରାହକମାନେ ମୋବାଇଲ୍ ଆପ୍ କିମ୍ବା କଂପାନି ୱେବସାଇଟରେ ବୁକିଙ୍ଗ୍ କରିବା ବେଳେ ସେମାନଙ୍କୁ ବିତରକମାନଙ୍କ ଏକ ତାଲିକା ପ୍ରଦାନ କରାଯିବ । ସେଥିରେ ବିତରକମାନଙ୍କ ପ୍ରଦର୍ଶନର ରେଟିଂ ରହିଥିବ । ସେହି ତାଲିକାରୁ ଗ୍ରାହକ ଜଣକ ରିିଫିଲ ବୁକିଂ ପାଇଁ ନିଜ ପସନ୍ଦର ବିତରକ ଚୟନ କରିପାରିବେ । ତେବେ କେବଳ ନିଜ ଅଂଚଳର ବିତରକ ହିଁ ଚୟନ କରିହେବ । ପେଟ୍ରୋଳିୟମ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ଏହି ସୁବିଧା ଆରମ୍ଭ ହେବା ପରେ ତାହା ଗ୍ରାହକମାନଙ୍କୁ ସଶକ୍ତ କରିବ । ସେମାନେ କେବଳ ନିଜ ପସନ୍ଦର ବିତରକ ଚୟନ କରିପାରିବେ ତାହା ନୁହେଁ ବିତରକମାନଙ୍କ ମଧ୍ୟରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହେବ । ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଲାଗି ସେମାନେ ଉଦ୍ୟମ କରିବେ । ଦେଶର ତିନି ସରକାରୀ ଏଲପିଜି ବିତରକ ଇଣ୍ଡେନ, ଭାରତ ଗ୍ୟାସ୍ ଓ ଏଚପି ଗ୍ୟାସ ତରଫରୁ ଗ୍ରାହକମାନଙ୍କୁ ଅନେକ ପ୍ରକାର ସେବା ଅନଲାଇନରେ ଯୋଗାଇ ଦେଉଛନ୍ତି । ଅନଲାଇନରେ ଗ୍ରାହକମାନେ ରିଫିଲ ବୁକିଂ କରିପାରୁଥିବା ବେଳେ ନିଜ ଗ୍ୟାସ ସଂଯୋଗକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ମଧ୍ୟ ଆବେଦନ କରିପାରୁଛନ୍ତି ।
Powered by Froala Editor