‘କୋଭାକ୍ସିନ’ କରୋନାଭୂତାଣୁ ସଂକ୍ରମଣ ବିରୋଧରେ ଦୃଢ଼ ସୁରକ୍ଷା ଯୋଗାଇପାରୁଛି

ନୂଆଦିଲ୍ଲୀ: ଦେଶର ନିଜସ୍ୱ ଜ୍ଞାନକୌଶଳରେ ବିକଶିତ ତଥା ହାଇଦ୍ରାବାଦ ସ୍ଥିତ ଭେଷଜ କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା ‘କୋଭାକ୍ସିନ’ ବିଟା ଓ ଡେଲଟା ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ସଂକ୍ରମଣ ବିରୋଧରେ ଦୃଢ଼ ସୁରକ୍ଷା ଯୋଗାଇପାରୁଛି ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି । ଏହି ଡେଲଟା ପ୍ରଜାତି (ବି.୧.୬୧୭.୨) ପ୍ରଥମେ ଭାରତରେ ଡାବ ହେବା ସହ ଦେଶରେ ସମ୍ପ୍ରତି ସବୁଠୁ ପ୍ରଭାବୀ କରୋନା ଭୂତାଣୁ ହୋଇଥିବା ବେଳେ ବିଟା ପ୍ରଜାତି (ବି.୧.୩୫୧) ପ୍ରଥମେ ଦକ୍ଷିଣ ଆଫି୍ରକାରେ ହିଁ ଦେଖାଦେଇଥିଲା । ତେବେ ପୁଣେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନ (ଏନଆଇଭି), ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଓ ଭାରତ ବାୟୋଟେକର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏହି ଅନୁଧ୍ୟାନରେ ୩୭ ଜଣଙ୍କ ଠାରୁ ସଂଗୃହୀତ ନମୁନା ସାମିଲ ହୋଇଥିଲା । ସେମାନଙ୍କ ଭିତରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ୨୦ ଜଣ କୋଭିଡ ପୀଡ଼ିତ ଥିବା ବେଳେ ଅନ୍ୟ ୧୭ ଜଣ ୨୮ ଦିନ ଅନ୍ତରରେ କୋଭାକ୍ସିନର ଦୁଇଟିଯାକ ମାତ୍ରା ନେଇ ସାରିଥିଲେ । ସେଥିରୁ କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଠାରେ ଉଭୟ ଡେଲଟା ଓ ବିଟା ପ୍ରଜାତି କରୋନା ଭୂତାଣୁ ଠାରୁ ସୁରକ୍ଷିତ ରଖିବା ଲାଗି ବଆବଶ୍ୟକ ଆଣ୍ଟିବଡ଼ି ବିକଶିତ ହୋଇଥିବା ଦାବି କରାଯାଇଛି ।
Powered by Froala Editor