କରୋନା ମୃତୁ୍ୟ ସଂଖ୍ୟାକୁ ନେଇ ହଇଚଇ ସୃଷ୍ଟି
ପାଟନା : ବିହାର ସରକାର ରାଜ୍ୟର କୋଭିଡ ଦୈନିକ ମୃତୁ୍ୟ ରେ ଆଣିଥିବା ସଂଶୋଧନ ଏବେ ବିବାଦୀୟ ହୋଇପଡ଼ିଛି । ଗୁରୁବାର ସକାଳେ ବୁଧବାରର ସଂଶୋଧିତ ମୃତୁ୍ୟସଂଖ୍ୟାରେ ୩,୯୫୧ଟି ନୂତନ ମୃତୁ୍ୟ ଯୋଡ଼ିହେବା ଘଟଣା ହଇଚଇ ସୃଷ୍ଟି କରିଛି । ପୂର୍ବରୁ ରାଜ୍ୟରେ ମୋଟ ୫,୪୨୪ ଜଣ କୋଭିଡରେ ଆଖି ବୁଜିଥିବା ବେଳେ ଗୁରୁବାରର ଘୋଷଣା ଅନୁଯାୟୀ ତାହା ୯,୩୭୫ ହୋଇଛି । ଗୋଟିଏ ଦିନରେ ରାଜ୍ୟ ମୃତୁ୍ୟ ସଂଖ୍ୟାରେ ୭୨ ପ୍ରତିଶତ ବୃଦ୍ଧି ଦେଶର ଦୈନିକ ମୃତୁ୍ୟକୁ ମଧ୍ୟ ଅବିଶ୍ୱସନୀୟ ଭାବେ ବଢ଼ାଇ ଦେଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ବିଭିନ୍ନ ମହଲରୁ କଟୁ ସମାଲୋଚନାର ଶିକାର ହୋଇଛନ୍ତି । ଗତ ମାସରେ ବିହାରର ବକ୍ସାର ନିକଟ ନଦୀଜଳରେ ବହୁ ସଂଖ୍ୟାରେ ପଚାଶଢ଼ା ଶବ ଭାସୁଥିବା ଦୃଶ୍ୟ ଦେଶବାସୀଙ୍କୁ ସ୍ତବଧ କରିଦେବା ସହ ବିରୋଧୀ ଦଳମାନେ ସରକାରଙ୍କୁ ଘେରିଥିଲେ । ରାଜ୍ୟରେ ପ୍ରକୃତ କୋଭିଡ ମୃତକଙ୍କ ସଂଖ୍ୟା ସରକାର ଲୁଚାଉଛନ୍ତି ବୋଲି ଅଭିଯୋଗ ଆସିବା ପରେ ପାଟନା ହାଇକୋର୍ଟ ମଧ୍ୟ ଏପ୍ରିଲ-ମେ’ ମାସରେ ରାଜ୍ୟରେ କୋଭିଡରେ ଆଖି ବୁଜିଥିବା ପୀଡ଼ିତଙ୍କ ସମ୍ପର୍କରେ ଟିକିନିଖି ଯାଞ୍ଚ କରିବାକୁ ନିଦେ୍ର୍ଧଶ କରିଥିଲେ । ଯାଞ୍ଚ ଅନୁସାରେ, ଗତବର୍ଷ ମାର୍ଚ୍ଚରୁ ଚଳିତ ବର୍ଷ ମାର୍ଚ୍ଚ ଯାଏ ବର୍ଷକ ଭିତରେ ମାତ୍ର ୧,୬୦୦ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଚଳିତ ବର୍ଷ ଏପ୍ରିଲରୁ ଗତ ୭ ତାରିଖ(ପ୍ରାୟ ଦୁଇ ମାସ) ଭିତରେ ୭,୭୭୫ ଜଣ ଆଖି ବୁଜିଛନ୍ତି । ତେବେ ବିଭିନ୍ନ ଜିଲ୍ଲାରୁ ସଂଶୋଧିତ ତାଲିକା ଆସିବା ପରେ ଏହି ସଂଖ୍ୟା ବଢ଼ିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସଫେଇ ଦେଇଛି ।
Powered by Froala Editor