ହିନ୍ଦୁ ସେନା ଲଗାଇଲେ ଆକବରଙ୍କ ନାଁରେ ପୋଷ୍ଟର
ଦିଲ୍ଲୀର ଆକବର ରୋଡରେ ହିନ୍ଦୁ ସେନାଙ୍କ ବିବାଦୀୟ ପୋଷ୍ଟର ଓ ହୋର୍ଡିଂ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୁ ସେନା ‘ଆକବର ମହାନ୍’ ଏହି ପୋଷ୍ଟର ଲଗାଇଛନ୍ତି । ହିନ୍ଦୁ ସେନା ଲଗାଇଥିବା ପୋଷ୍ଟରେ ଲେଖାଯାଇଛି ଯେ ମହାନ ବୋଲି କୁହାଯାଉଥିବା ଆକବର ପ୍ରକୃତରେ ଜଣେ ବଳାତ୍କାରୀ ଓ ଆତଙ୍କବାଦୀ। ନିଜର ଶାସନ କାଳରେ ଆକବର ହଜାର ହଜାର ହିନ୍ଦୁ ଝିଅଙ୍କୁ ବଳାତ୍କାର କରିଥିଲେ। ସେହିପରି ହିନ୍ଦୁମାନଙ୍କ ନରସଂହାର କରିଥିଲେ। ସେଥିପାଇଁ ହିନ୍ଦୁ ସେନା ଏହି ପୋଷ୍ଟର ଲଗାଇଥିବା କହିଛି।
ହିନ୍ଦୁ ସେନାର କାର୍ଯ୍ୟକର୍ତ୍ତାମାନେ ଦିଲ୍ଲୀ ପୁଲିସ ବ୍ୟାରିକେଡରେ ମଧ୍ୟ ପୋଷ୍ଟର ଲଗାଇଛନ୍ତି। ଏଥିରେ ଆକବର ରୋଡକୁ ବଳାତ୍କାରୀ ଆକବର ରୋଡ ଓ ଆତଙ୍କବାଦୀ ଆକବର ରୋଡ ବୋଲି କହିଛନ୍ତି। ବଳାତ୍କାରୀ ଆକବର ମହାନ ଓ ଆତଙ୍କବାଦୀ ଆକବର ମହାନ ବୋଲି ପୋଷ୍ଟରେ ଲେଖାଯାଇଛି।ଏହି ପୋଷ୍ଟରରେ ହିନ୍ଦୁ ସେନା ଓ ସୁରଜିତ ଯାଦବଙ୍କ ନାମ ଉଲ୍ଲେଖ କରାଯାଇଛି। ତେବେ ହଠାତ୍ ହିନ୍ଦୁ ସେନା ପକ୍ଷରୁ କାହିଁକି କରୋନା ମହାମାରୀ ସମୟରେ ଏପରି ପୋଷ୍ଟର ଲଗାଯାଇଛି, ସେକଥା ଜଣାପଡ଼ିନି।
ଯେତେବେଳେ ଦେଶ କରୋନା ପରି ମହାମାରୀ ସହ ଲଢ଼େଇ କରୁଛି ସେତେବେଳେ ଏପରି ବିବାଦୀୟ ପୋଷ୍ଟର ଲଗାଇବାର ଆବଶ୍ୟକତା କ’ଣ ଥିଲା ବୋଲି କିଛି ଲୋକ ପ୍ରଶ୍ନ କରିଛନ୍ତି। ଏହା କେବଳ ପ୍ରଚାର ଷ୍ଟଣ୍ଡ ନା ଏହା ପଛରେ ଆଉ କିଛି ରାଜନୀତିକ ଉଦ୍ଦେଶ୍ୟ ରହିଛି, ତାହା ବି ଜଣାପଡ଼ିନି।
Powered by Froala Editor