୧୫୦ କୋଟି ଟଙ୍କାର ଚୂନ ଲଗାଇଛନ୍ତି ସାଇବର ଠକ
ନୂଆଦିଲ୍ଲୀ: ଏକ ମୋବାଇଲ ଆପରେ ନିବେଶ କରି ପଇସା ଦୁଇଗୁଣ କରିବାର ଲୋଭ ଦେଖାଇ ଲୋକଙ୍କୁ ଠକିଥିବା ଗୋଷ୍ଠୀର ୧୧ ଜଣଙ୍କୁ ଦିଲ୍ଲୀରେ ଗିରଫ କରାଯାଇଛି । ଦେଶର ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ଏହି ଠକମାନେ ୧୫୦ କୋଟି ଟଙ୍କାର ଚୂନ ଲଗାଇଛନ୍ତି । ଦିଲ୍ଲୀ ପୁଲିସର ସାଇବର ସେଲ୍ ଏମାନଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଅଛନ୍ତି । ଏହି ଚାଇନିଜ୍ ଆପକୁ କିଛି ଚୀନ ନାଗରିକ ଦ୍ୱାରା ପରିଚାଳିତ କରାଯାଉଥିଲା । ଗିରଫ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରୁ ପାଖାପାଖି ୧୧ କୋଟି ଟଙ୍କା ପୁଲିସ ଜବତ କରିଛି । ସେହିଭଳି ଅଭିଯୁକ୍ତଙ୍କ ନିକଟରୁ ମଧ୍ୟ ପୁଲିସ ୯୭ ଲକ୍ଷ ଟଙ୍କା ପାଇଛି । ଅଭିଯୁକ୍ତମାନେ ଏହି ଆପ ଜରିଆରେ ଲୋକଙ୍କ ଟଙ୍କାକୁ ୧୫ ଦିନରେ ଦୁଇଗୁଣ କରିବାର ଲୋଭ ଦେଖାଉଥିଲେ । ଏହି ଆପ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି । ଏହାପୂର୍ବରୁ ଉତ୍ତରାଖଣ୍ଡ ପୁଲିସର ସ୍ପେସାଲ ଟାସ୍କ ଫୋର୍ସ ୧୫ ଦିନରେ ଟଙ୍କା ଦୁଇଗୁଣ କରିଦେବାର ପ୍ରତିଶ୍ରୁତି ଦେଇ ମୋବାଇଲ ଆପ ମାଧ୍ୟମରେ ୨୫୦ କୋଟି ଟଙ୍କାର ଠକେଇ କରିଥିବା ଅନ୍ତରାଷ୍ଟ୍ରୀୟ ଗ୍ୟାଙ୍ଗକୁ ଧରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା ।
Powered by Froala Editor