ବିଜେପି ନେତାଙ୍କ ଝିଅକୁ ହତ୍ୟା: ଗଛରେ ଟାଙ୍ଗି ଆଖି ତାଡ଼ି ନେଇଛନ୍ତି ଦୁର୍ବୃତ୍ତ
ଝାରଖଣ୍ଡର ପାଲାମୁ ଜିଲ୍ଲାରେ ଥିବା ଲାଲିମାଟି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ୧୬ ବର୍ଷୀୟ ଝିଅଙ୍କ ମୃତଦେହ ମିଳିଛି। ୧୦ମ ଶ୍ରେଣୀରେ ପାଠ ପଢ଼ୁଥିବା ଏହି ନାବାଳିକା ଜଣଙ୍କ ସ୍ଥାନୀୟ ବିଜେପି ନେତାଙ୍କ ଝିଅ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ସବୁଠାରୁ ଚାଞ୍ଚଲ୍ୟକର କଥା ଯେ, ନାବାଳିକାଙ୍କ ଡାହାଣ ଆଖିକୁ ଦୁର୍ବୃତ୍ତମାନେ ତାଡ଼ି ଦେଇଛନ୍ତି। ପୋଷ୍ଟମର୍ଟମ୍ ପରେ ବୁଧବାର ସନ୍ଧ୍ୟାରେ ନାବାଳିକାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ବୁଦ୍ଧବିହାର ଗାଁରେ ପରିବାର ସହ ନାବାଳିକା ରହୁଥିଲେ। ବିଜେପି ନେତାଙ୍କର ୫ ପିଲା ମଧ୍ୟରୁ ସେ ବଡ଼ ଝିଅ ଥିଲେ। ଘଟଣା ସ୍ଥଳରେ ଜବତ ହୋଇଥିବା ଏକ ମୋବାଇଲ୍ରୁ ମିଳିଥିବା କଲ୍ ରିକର୍ଡ ଡାଟାକୁ ଆଧାର କରି ପ୍ରଦୀପ କୁମାର ଧନୁକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ୍। ପ୍ରଦୀପ ଜଣେ ବିବାହିତ ବ୍ୟକ୍ତି ହୋଇଥିବା ବେଳେ ସେ ଏହି ହତ୍ୟା ଘଟଣାରେ ସାମିଲ ଥାଇପାରେ ବୋଲି ପୁଲିସ ସନ୍ଦେହ କରିଛି।
ନାବାଳିକାଙ୍କ ପରିବାର ଲୋକ କହିଛନ୍ତି, ଜୁନ୍ ୭ ତାରିଖ ସକାଳ ୧୦ରେ ନାବାଳିକା ଜଣଙ୍କ ଘରୁ ବାହାରିଥିଲେ। ଏହାପରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ଝିଅର ନିଖୋଜ ସମ୍ପର୍କରେ ପୁଲିସ୍କୁ ଜଣାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଦୀର୍ଘ ୪୮ ଘଣ୍ଟା ପରେ ଲାଲିମାଟି ଜଙ୍ଗଲରେ ଥିବା ଗୋଟିଏ ଗଛରୁ ସ୍ଥାନୀୟ ଲୋକମାନେ ପ୍ରଥମେ ତାଙ୍କ ଝୁଲନ୍ତା ମୃତଦେହ ଠାବ କରିଥିଲେ। ଏହାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୋଟିଏ କପଡ଼ାରେ ସେ ଝୁଲିଥିବା ବେଳେ ତାଙ୍କ ଡାହାଣ ଆଖିକୁ ତାଡ଼ି ନିଆଯାଇଥିବା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ହତ୍ୟା କରିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି।
ପୁଲିସର ସନ୍ଦେହ ଅନୁସାରେ ଝିଅଟିକୁ ହତ୍ୟା କରିବା ପୂର୍ବରୁ ଖୁବ୍ ମାଡ଼ ମରାଯିବା ସହିତ ଆଖି ଖୋଳି ନିଆଯାଇଛି। ଏହାପରେ ସୁଇସାଇଡ୍ ରୂପ ଦେବାକୁ ତାକୁ ଗଛରେ ଟାଙ୍ଗି ଦିଆଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ମେଦିନିନଗରରେ ଥିବା ମେଦିନି ରାୟ ମେଡିକାଲ କଲେଜ୍କୁ ପଠାଇଥିଲା। ତେବେ ପରିବାର ଲୋକ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।
Powered by Froala Editor