ସରକାରୀ ବଙ୍ଗଳା ଖାଲି କରିବେ ମହୁଆ
ସରକାରୀ ବଙ୍ଗଳା ଖାଲି କରିବେ ଟିଏସମି ସାଂସଦ ମହୁଆ ମୈତ୍ର। ତୁରନ୍ତ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ନୋଟିସ୍ ଜାରି କରାଯାଇଛି। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ଡିସେମ୍ବର ୮ରେ ମହୁଆଙ୍କୁ ଏଥିକ୍ସ କମିଟି ବହିଷ୍କାର କରିଥିଲା।
ଏଥିକ୍ସ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବା ପରେ ଗତ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ବହିଷ୍କାର କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ମହୁଆ ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ୨କୋଟି ଟଙ୍କା ଓ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ସମେତ ଲାଞ୍ଚ ନେଇଥିଲେ। ଏଥିପାଇଁ ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଶେଆର୍ କରିଥିଲେ।
ଅନ୍ୟପକ୍ଷରେ ଡିସେମ୍ବର ୮ରେ ତାଙ୍କୁ ବହିଷ୍କାର କରାଯିବା ପରେ ସେ ସୋମବାର ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ସାମ୍ନାକୁ ଆସିଛି। ସୁପ୍ରିମ୍କୋର୍ଟରେ ଆବେଦନ କରି ମହୁଆ କହିଛନ୍ତି ଯେ, ତାଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କାର କରି ଅନ୍ୟାୟ କରାଯାଇଛି। ଏଥିକ୍ସ କମିଟି ସମସ୍ତ ନିୟମ ଭାଙ୍ଗିଛି। ଗୃହରେ ନିଜ ସପକ୍ଷରେ ସଫେଇ ଦେବାର ସୁଯୋଗ ତାଙ୍କୁ ଦିଆଯାଇ ନ ଥିଲା।
Powered by Froala Editor