‘ଏକ୍ସୋମୁନ୍’ର ସନ୍ଧାନ ମିଳିଲା !
ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ‘ଏକ୍ସୋମୁନ୍’ର ସନ୍ଧାନ ପାଇଛନ୍ତି। ଏହା ଏକ ଗ୍ରହ ସଦୃଶ ବସ୍ତୁକୁ ପରିକ୍ରମଣ କରୁଥିବାରୁ ଏହାକୁ ‘ଚନ୍ଦ୍ର’ ବା ’ମୁନ୍’ କହିବା ଯୁକ୍ତିଯୁକ୍ତ ମନେହେଉଛି, ଯଦିଓ ଆମ ସୌରମଣ୍ଡଳର ପଥୁରିଆ ଚନ୍ଦ୍ରଗୁଡ଼ିକ ତୁଳନାରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ବ୍ରାଉନ ଡ୍ୱାର୍ଫକୁ ପରିକ୍ରମଣ କରୁଥିବା ବସ୍ତୁକୁ ‘ଏକ୍ସୋମୁନ୍’ କୁହାଯିବ କି ନାହିଁ, ସେ ନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ନିୟମ ନାହିଁ।
ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏକ ନକ୍ଷତ୍ରକୁ ପରିକ୍ରମଣ କରୁଥିବା ଏକ ବ୍ରାଉନ ଡ୍ୱାର୍ଫ ଚାରିପଟେ ଆଉ ଏକ ମହାକାଶୀୟ ଉପଗ୍ରହ ଘୂରି ବୁଲୁଥିବା ଦେଖିବାକୁ ମିଳିଛି, ଯାହା ପ୍ରଥମ ପ୍ରାକୃତିକ ବାହ୍ୟ ଚନ୍ଦ୍ର ବା ‘ଏକ୍ସୋମୁନ୍’ ଆବିଷ୍କାରର ସମ୍ଭାବନାକୁ ସୃଷ୍ଟିକରିଛି। ବର୍ତ୍ତମାନ ସୁଦ୍ଧା ମହାକାଶରେ ୬,୦୦୦ରୁ ଅଧିକ ଏକ୍ସୋପ୍ଲାନେଟ୍ (ସୌରମଣ୍ଡଳ ବାହାରେ ଥିବା ଗ୍ରହ) ଆବିଷ୍କାର କରାଯାଇଥିଲେ ମଧ୍ୟ କୌଣସି ଏକ୍ସୋମୁନ୍ର ଠିକ୍ ଚିହ୍ନଟ ହୋଇପାରି ନଥିଲା। ଏହି ଆବିଷ୍କାର ମହାକାଶ ବିଜ୍ଞାନରେ ଏକ ନୂଆ ଇତିହାସ ସୃଷ୍ଟି କରିଛି।
ୟୁରୋପିଆନ ସ୍ପେସ୍ ଅବ୍ଜରଭେଟୋରି (ଇଏସ୍ଓ), ଚିଲିର ମୁଖ୍ୟ ଗବେଷକ କେଭିନ୍ ହୋୟ କହିଛନ୍ତି, ଏହି ନୂତନ ବସ୍ତୁଟି ଆକାରରେ ଏକ ଗ୍ରହ ଭଳି ବଡ଼। କିନ୍ତୁ ଏହା ସିଧାସଳଖ କୌଣସି ନକ୍ଷତ୍ରକୁ ପରିକ୍ରମଣ କରୁନାହିଁ।
Powered by Froala Editor