ବଳ ଗୋଟାଉଛି ବାତ୍ୟା, ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସ୍ଥଳଭାଗ ଛୁଇଁବ
ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 'ମିଗଜୋମ୍'। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସ୍ଥଳଭାଗ ଛୁଇଁବା ନେଇ ଆକଳନ। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ବାତ୍ୟା ମିଗଜୋମ୍ ଘନୀଭୂତ ହୋଇ ଆସନ୍ତାକାଲି ପୂର୍ବାହ୍ନରେ ଭୀଷଣବାତ୍ୟାର ରୂପ ନେବ। ପରେ ଆନ୍ଧ୍ରପ୍ରଦେଶର ନେଲୋର୍ ଏବଂ ମଛଲିପଟନମ୍ ମଧ୍ୟରେ ସ୍ଥଳ ଭାଗକୁ ଗତି କରିବ।
ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ବାତ୍ୟା ସମୟରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିବ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
ଓଡିଶାରେ ବାତ୍ୟାର ବିଶେଷ ପ୍ରଭାବ ନଥିଲେ ମଧ୍ୟ ଏହାର ପ୍ରଭାବରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ହେବାକୁ ଥିବା ଜିଲ୍ଲାଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ। ସେହିପରି ଆସନ୍ତାକାଲି ପାଇଁ ୫ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
Powered by Froala Editor