କ୍ୟାବିନେଟ ନିଷ୍ପତ୍ତି:ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିର ପୁନର୍ବିଚାର ହେବ
ଭୁବନେଶ୍ୱର: ବିବାଦ ପରେ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି ର ପୁନର୍ବିଚାର ହେବ । ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି । ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିର ସଂଶୋଧନ ପାଇଁ ଉପଦେଷ୍ଟା ପରିଷଦ ନିକଟକୁ ପଠାଯାଇଛି । ଏହାର ତର୍ଜମା କରିବାକୁ ଜନଜାତି ଉପଦେଷ୍ଟା ପରିଷଦକୁ ପଠାଯାଇଥିବା ଶ୍ରୀ ପୂଜାରୀ କହିଛନ୍ତି ।
ଗତ ୧୪ ତାରିଖରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଥିଲା । ୧୫ ତାରିଖରେ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଥିଲେ ମନ୍ତ୍ରୀ ।
କ୍ୟାବିନେଟ୍ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଦିବାସୀ ଜମି ହସ୍ତାନ୍ତର ପାଇଁ ଆଇନରେ ସଂଶୋଧନ ହୋଇଥିଲା । ଯାହାଦ୍ୱାରା ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ ।
ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । ଏନେଇ କ୍ୟାବିନେଟ୍ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ରାଜନୀତି ତେଜିଥିଲା । ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ନିଷ୍ପତ୍ତିକୁ କଡା ବିରୋଧ କରାଯାଇଥିଲା । କିନ୍ତୁ ୧୬ ତାରିଖରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଟ୍ୱିଟ୍ କରି ଏହି କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିବା ସୂଚନା ଦେଇଥିଲେ । କିନ୍ତୁ ଏହି ନିଷ୍ପତ୍ତିକୁ ସ୍ଥଗିତ ନୁହେଁ ବରଂ ପ୍ରତ୍ୟାହୃତ କରିବାକୁ କହି ବିଧାନସଭାରେ ବିରୋଧ କରିଥିଲେ ବିରୋଧୀ । ଗତ ତିନି ଦିନ ହେବ ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହରେ ତୁମ୍ବି ତୋଫାନ କରିଥିଲେ ବିରୋଧୀ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟ । ଫଳରେ ଗୃହକାର୍ୟ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ।
Powered by Froala Editor