ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣା : ଜେଲ୍ ଗଲେ ପ୍ରଯୋଜକ ଟୁଟୁ ନାୟକ
ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ମାମଲାରେ ପ୍ରଯୋଜକ ସଂଜୟ(ଟୁଟୁ) ନାୟକ ଗିରଫ ହୋଇଛନ୍ତି । ଶନିବାର ଖାରବେଳ ନଗର ଥାନାରେ ପଚରାଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଭିଡିଓ ଫୁଟେଜ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଟୁଟୁ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ତାଙ୍କୁ ପଠାଇ ଦିଆଯାଇଛି । ଏନେଇ ଜୋନ୍ -୪ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି।
ସେପଟେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସଂଜୟ ନାୟକ ମାଡ଼ ମାରିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଥିଲେ ମହିଳା କମିଶନ । ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଏ ସମ୍ପର୍କରେ ସୂଚନା ଦେଇଥିଲେ । ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ ମଧ୍ୟ କରାଯାଇଥିଲା । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଥିଲା । ଫଳରେ ପୋଲିସ ଟୁଟୁଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା । ପରେ ତାଙ୍କୁ ଖାରବେଳନଗର ପୋଲିସ ଗିରଫ କରିବା ସହ ଜେଲ୍କୁ ପଠାଇଦେଇଛି ।
ମାମଲାରେ ସାମ୍ବାଦିକାଙ୍କ ବୟାନ ରେକର୍ଡ କରିଛି ପୋଲିସ। ଧାରା ୧୬୧ରେ ବୟାନ ରେକର୍ଡ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ତେବେ ଟୁଟୁ ନାୟକ ମହିଳା ସାମ୍ବାଦିକଙ୍କୁ କ୍ଷମା ମାଗିବେ ବୋଲି କହିଛନ୍ତି ନିର୍ଦ୍ଦେଶକ ସୁଧାକର ବସନ୍ତ। ଏଥିପାଇଁ ସେ ରାଜିଥିବା ବେଳେ ତାଙ୍କୁ ଟିକିଏ ସମୟ ଦେବାକୁ ସୁଧାକର ଅନୁରୋଧ କରିଛନ୍ତି।
Powered by Froala Editor