ଅନଲାଇନରେ ଜାରି ହୋଇଚି ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରାର ସିଧା ପ୍ରସାରଣ ସୂଚୀ
ପୁରୀ: ରାଜ୍ୟ ସୂଚନା ପ୍ରସାରଣ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନଲାଇନରେ ଜାରି ହୋଇଚି ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରାର ସିଧା ପ୍ରସାରଣ ସୂଚୀ । ତାରିଖ ୱାରି ସ୍ନାନପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ତଥା ନୀଳାଦ୍ରି ବିଜେ ପର୍ବର ସିଧା ପ୍ରସାରଣ ୟୁଟୁ୍ୟବ ଲିଙ୍କରେ ହେବ ସୂଚନା ପ୍ରସାରଣ ବିଭାଗ ସୂଚନା ଦେଇଛି । ବିଭିନ୍ନ ଟେଲିଭିଜନ ଓ ୱେବ ମିଡିଆକୁ କମନ ଫିଡରୁ ଏହି ସବୁ ଯାତ୍ରାର ଭିଡିଓ ମିଳି ପାରିବ ବୋଲି ସୂଚନା ଦିଆଯାଇଛି । ଏଥିରୁ ଆଭାସ ମିଳିଛି ପ୍ରଶାସନ କୋଭିଡ କଟକଣା ପରିପ୍ରେକ୍ଷୀରେ ବିନା ଭକ୍ତରେ ଏହି ସବୁ ପର୍ବ ଅନୁପାଳନ କରିବାକୁ ପ୍ରସ୍ତୁତି ଚଳାଇଛି । ଏବେ ଠାରୁ ଭକ୍ତଙ୍କୁ ସୂଚନା ଦିଆଗଲାଣି ଘରେ ବସି ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ଆରମ୍ଭ କରି ରଥଯାତ୍ରାର ସମସ୍ତ ପର୍ବକୁ ଦର୍ଶନ କରିହେବ । ଉଲ୍ଲେଖନୀୟ କୋଭିଡ ସ୍ଥିତିକୁ ଦେଖି ବିନା ଭକ୍ତ ନା ଭକ୍ତଙ୍କ ସହ ମହାପ୍ରଭୁଙ୍କ ରଥଯାତ୍ରା ପାନଳ ହେବ ତାହାର ରୂପଲେଖ ପ୍ରସ୍ତୁତ ହେବ ବୋଲି ତିନି ଦିନ ପୂର୍ବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ସବୁ ପର୍ବ କିଭଳି ପାଳନ ହେବ ସେ ନେଇ ଅବଶ୍ୟ ସେ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦେଇନଥିଲେ । ତେବେ ସୂଚନା ଓ ପ୍ରସାରଣ ବିଭାଗର ୟୁଟୁ୍ୟବର ଏହି ସୂଚନା ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ସରକାର ପ୍ରସ୍ତୁତି ଚଳାଇଥିବାର ଆଭାସ ଦେଉଛି ।
Powered by Froala Editor