ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନ୍ଙ୍କ ପରିବାରକୁ ୭ ବର୍ଷ ଜେଲ୍
ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନ୍ଙ୍କ ପୂରା ପରିବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜମ ଖାନଙ୍କ ସମେତ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଓ ପତ୍ନୀ ତଞ୍ଜିମ ଫାତିମା ଏହି ମାମଲାରେ ଦୋଷୀ ପ୍ରମାଣିତ ହୋଇଛନ୍ତି। ଏହି ତିନି ଜଣଙ୍କୁ ସାତ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏଥିସହ ଆଜମ ଖାନ୍ଙ୍କ ଜାମିନ ବାତିଲ କରି ଦିଆଯାଇଛି। କୋର୍ଟଙ୍କ ରାୟ ପରେ ତିନି ଜଣଙ୍କୁ ନ୍ୟାୟିକ ହେପାଜତକୁ ନିଆଯାଇଛି ଏବଂ କୋର୍ଟରୁ ହିଁ ସେମାନଙ୍କୁ ଜେଲକୁ ପଠାଯିବ।
ବିଜେପି ନେତା ଆକାଶ ସକ୍ସେନା ଆଜମ ଖାନଙ୍କ ବିରୋଧରେ ୨୦୧୯ ଜାନୁଆରି ୩ ତାରିଖରେ ରାମପୁରର ଗଞ୍ଜ ଥାନାରେ ଏକ ଏତଲା ଦେଇଥିଲେ। ଆଜମ ଖାନ ଏବଂ ତାଙ୍କ ପତ୍ନୀ ମିଳିତ ଭାବେ ତାଙ୍କ ପୁଅକୁ ଦୁଇଟି ନକଲି ଜନ୍ମ ତାରିଖ ପ୍ରମାଣପତ୍ର ହାସଲ କରିବାରେ ସାହାଯ୍ୟ କରିଥିଲେ, ଗୋଟିଏ ଲକ୍ଷ୍ନୌରୁ ଏବଂ ଅନ୍ୟଟି ରାମପୁରରୁ ହାସଲ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।
ମାମଲାର ତଦନ୍ତ ପରେ ଅଦାଲତରେ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁଯାୟୀ, ରାମପୁର ମ୍ୟୁନିସିପାଲିଟି ଦ୍ୱାରା ଜାରି କରାଯାଇଥିବା ସାର୍ଟିଫିକେଟରେ ଅବଦୁଲ୍ଲା ଆଜମଙ୍କ ଜନ୍ମ ତାରିଖ ୧ ଜାନୁଆରି ୧୯୯୩ ବୋଲି ଉଲ୍ଲେଖ କରାଯାଇଥିଲା। ଅନ୍ୟ ସାର୍ଟିଫିକେଟ ଅନୁଯାୟୀ ସେ ୧୯୯୦ ମସିହା ସେପ୍ଟେମ୍ବର ୩୦ ତାରିଖରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ। ଏବେ ଏହି ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଏମ୍ପି-ଏମ୍ଏଲ୍ଏ କୋର୍ଟ ତାଙ୍କ ପରିବାରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
Powered by Froala Editor