ସମଲିଙ୍ଗୀ ବିବାହକୁ ନେଇ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ
ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଭାରତରେ ଅନୁମତି ଦିଆଯିବ କି ନାହିଁ ସେ ନେଇ ସାରାଦେଶରେ ନ୍ୟାୟିକ, ରାଜନୈତିକ ଓ ସାମାଜିକ ବିତର୍କ ତୀବ୍ରତର ହୋଇଥିବା ବେଳେ ଆଜି ଆସିବ ‘ସୁପ୍ରିମ’ ରାୟ। ସମଲିଙ୍ଗୀ ବିବାହକୁ ଭାରତରେ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା କାଲି ସୁପ୍ରିମକୋର୍ଟଙ୍କ ରାୟ ଆସିବ ବୋଲି ଜଣାପଡିଛି। ଗତ ମେ’ ମାସରେ ଏନେଇ ହୋଇଥିବା ଏକାଧିକ ଆବେଦନର ମାରଥନ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। ସିଜେଆଇଙ୍କ ବ୍ୟତୀତ ଖଣ୍ଡପୀଠରେ ଜଷ୍ଟିସ ଏସ୍କେ କୌଲ, ଜଷ୍ଟିସ ଏସ୍ଆର ଭଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ ନରସୀମା ରହିଛନ୍ତି।
ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପାଇବା ପାଇଁ ଆବେଦନଗୁଡ଼ିକର ଶୁଣାଣି ଶେଷ କରିସାରିଥିବା ଏହି ବେଞ୍ଚ ମେ ୧୧ରେ ଏହାର ରାୟ ସଂରକ୍ଷିତ ରଖିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୧୦ ଦିନ ଧରି ମାମଲାର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ। ୧୮ ଯୋଡ଼ା ସମଲିଙ୍ଗୀ ଦମ୍ପତି ସେମାନଙ୍କ ସମ୍ପର୍କକୁ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ଆବେଦନ କରିଥିଲେ। ସେମାନେ ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ମାନ୍ୟତା ପାଇଁ ଦାବି ଅନୁରୋଧ କରିଛନ୍ତି। ଦେଶରେ ପ୍ରଚଳିତ ସ୍ୱତନ୍ତ୍ର ବିବାହ ଆଇନରେ ସମଲିଙ୍ଗୀ ବିବାହକୁ ମଧ୍ୟ ସାମିଲ କରିବାକୁ ସେମାନେ କହିଛନ୍ତି।
Powered by Froala Editor