ଏଣିକି କର୍ମକ୍ଷେତ୍ରରେ ମିଳିବ ଟିକା

ନୂଆଦିଲ୍ଲୀ: ସରକାରୀ ବା ବେସରକାରୀ, କୌଣସି କାର୍ଯ୍ୟସ୍ଥଳୀରେ ଯଦି ୧୦୦ ପାଖାପାଖି କର୍ମଚାରୀ କୋଭିଡ ଟିକା ନେବାକୁ ଆଗ୍ରହୀ ଥିବେ ଏବଂ ହିତାଧିକାରୀ ହେବାକୁ ଯୋଗ୍ୟ ବିବେଚିତ ହେଉଥିବେ, ସେଠାରେ ଟିକା ପ୍ରଦାନ କେନ୍ଦ୍ର ଖୋଲାଯାଇ ପାରିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଦେଶରେ କୋଭିଡର ଦ୍ୱିତୀୟ ଲହର ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ୧୧ ତାରିଖରୁ ସରକାର ଏଭଳି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲିବେ ବୋଲି ଜଣାଯାଇଛି । ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ପରାମର୍ଶ ଦିଆଯାଇଛି । ସମ୍ପ୍ରତି ଦେଶରେ ୪୫ ବର୍ଷରୁ ଅଧିକ ବୟସ୍କମାନେ ହିଁ କୋଭିଡ ଟିକା ନେବା ପାଇଁ ଯୋଗ୍ୟ ହିତାଧିକାରୀ ଭାବେ ବିବେଚିତ ହେଉଛନ୍ତି ।