ପରଲୋକରେ ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ର
ଭୁବନେଶ୍ବର : ପୂର୍ବତନ ପୁଲିସ ଡିଜି ତଥା ଖ୍ୟାତନାମା ଲେଖକ ଶରତ ଚନ୍ଦ୍ର ମିଶ୍ରଙ୍କର ଆଜି ସକାଳ ୭ଟା ୨୪ ମିନିଟ୍ ସମୟରେ ଭୁବନେଶ୍ବରରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଏନେଇ ତାଙ୍କ ଭାଇ ତଥା ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୯୫୯ ମସିହା ବ୍ୟାଚର ଆଇପିଏସ୍ ଶରତ ଚନ୍ଦ୍ର ମିଶ୍ର ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ନିଜର ସାହିତ୍ୟକୃତି ପାଇଁ ଶ୍ରୀ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ଲାଭ କରିଥିଲେ।
ସେ ଜଣେ ମେଳାପି ଏବଂ ଅମାୟିକ ବ୍ୟକ୍ତି ଥିଲେ।ସେ ଦୀର୍ଘ ଦିନ ଧରି ‘ର’ ପାଇଁ କାମ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଶରତ ଚନ୍ଦ୍ର ମିଶ୍ରଙ୍କର ମରଶରୀରକୁ ପ୍ରଥମେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲକୁ ନିଆଯିବ। ତାପରେ ତାଙ୍କର ବିଜେବି ନଗରସ୍ଥିତ ବାସଭବନକୁ ଅଣାଯିବ। ସେଠାରେ ମଧ୍ୟାହ୍ନ ୧୨ଟା ଯାଏ ଅନ୍ତିମ ଦର୍ଶନ ଲାଗି ରଖାଯିବ। ଅପରାହ୍ଣରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।
Powered by Froala Editor