ପ୍ରଦୀପ ପାଣିଗ୍ରାହୀଙ୍କ ଆଉ ଏକ ମାମଲାର ଜାମିନ ଖାରଜ
ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ଆଉ ଏକ ମାମଲାର ଜାମିନ ଖାରଜ ହୋଇଛି । ଏଡିଜେ-୧ ଡ. ପ୍ରସନ୍ନ ପଣ୍ଡା ଜାମିନ ଆବେଦନର ଶୁଣାଣି କରି ଆଜି ଖାରଜ କରିଛନ୍ତି । ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରାଯିବ ବୋଲି ତାଙ୍କର ଓକିଲ କହିଛନ୍ତି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଗୋଳନ୍ଥରା ଥାନା ଅନ୍ତର୍ଗତ ମାଝିଗାଁର ବି. ଶିବ ପାତ୍ର ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ବିଧାୟକଙ୍କୁ ଗତ ୨୦୧୯ ଅକ୍ଟୋବର ୨୦ତାରିଖରେ ବ୍ରହ୍ମପୁରସ୍ଥିତ ତାଙ୍କ ବାସଭବନରେ ୨ ଲକ୍ଷ ଟଙ୍କା ଦେଇଥିଲେ । ଏଥିପାଇଁ ବିଧାୟକଙ୍କ ସହଯୋଗୀ ସର୍ବେଶ୍ୱର ରାଓ ତାଙ୍କୁ ପ୍ରବର୍ତ୍ତାଇ ଥିଲେ । କିନ୍ତୁ ଚାକିରି ମିଳି ନଥିଲା । ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ କୋର୍ଟରେ ମାମମଲା ରୁଜୁ କରିଥିଲେ । ଗତ ଏପ୍ରିଲ ୨୦ତାରିଖରେ କୋର୍ଟଙ୍କ ନିଦେ୍ର୍ଧଶକ୍ରମେ ଶିବ ଗୋଳନ୍ଥରା ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୧୨୦/୨୧ ଅନୁସାରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଗତ ମେ ୧୯ତାରିଖରେ ବ୍ରହ୍ମପୁର ପୁଲିସ ବିଧାୟକ ପ୍ରଦୀପ ଓ ସହଯୋଗୀ ସର୍ବେଶ୍ୱରଙ୍କୁ ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରିଥିଲା । ଏହି ମାମଲାରେ ରିମାଣ୍ଡ ଲଗାଇବା ପରେ ପୁଣିଥରେ ଉଭୟଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲକୁ ନିଆଯାଇଥିଲା ।
Powered by Froala Editor