ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍କୁଲର ପିଅନ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଡଙ୍ଗା ସିଲ ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ନେଇ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଦୁଷ୍କର୍ମକାରୀ ପିଅନକୁ ପୋଲିସ ଅଟକ ରଖିଥିବା ବେଳେ, ଫାଣ୍ଡି ଆଗରେ ପୋଲିସ ଗାଡିକୁ ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଲୋକ । ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ୧୪୪ ଜାରି ହୋଇଛି ।
ଗତକାଲି ସ୍କୁଲ ସରିବା ପରେ ତୃତୀୟ ଶ୍ରେଣୀ ଛାତ୍ରୀଜଣକ ନିଜ ଘରକୁ ଯାଉଥିଲେ। ମାତ୍ର ତାଙ୍କୁ ଏକୁଟିଆ ପାଇ ପ୍ରଲୋଭିତ କରି ସ୍କୁଲର ପିଅନ ଶିବ ପ୍ରସାଦ ମିଶ୍ର ତାଙ୍କୁ ଏକ ରୁମ୍କୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏହାପରେ ଛାତ୍ରୀଜଣକ କାନ୍ଦୁଥିବା ଦେଖି ଉକ୍ତ ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରୀ ଉଦ୍ଧାର କରି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଗୁରୁତର ଅବସ୍ଥାରେ ଘରେ ପହଞ୍ଚି ନାବାଳିକାଜଣକ ନିଜ ପରିବାର ଲୋକଙ୍କୁ ସବୁ କଥା କହିଥିଲେ ।ଏହାପରେ ତୁରନ୍ତ ତାଙ୍କୁ ପ୍ରଥମେ ଡ଼ଙ୍ଗାସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଘେରି ପୁଲିସ୍ ବସ୍ରେ ନିଆଁ ଲଗାଇ ଦେଇଥିଲେ। ଫଳରେ ପୁଲିସ୍ ଫୋର୍ସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଲାଗିଥିଲା। ପୁଲିସ୍ ଏହି ଘଟଣାରେ ପ୍ରାୟ ୩୦ ଜଣଙ୍କୁ ଅଟକ ରଖିଥିବା ବେଳେ ଗାଁ ପୁରୁଷଶୂନ୍ୟ ହୋଇ ଯାଇଛି।
Powered by Froala Editor