ସ୍କ୍ରବ୍ ଟାଇଫସ୍: ୧୮୦ରେ ପହଞ୍ଚିଲାଣି ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର: ମାଡ଼ି ଚାଲିଛି ‘ସ୍କ୍ରବ୍ ଟାଇଫସ୍’ । ୪ ଜିଲ୍ଲାକୁ ଏହା ବ୍ୟାପିଲାଣି । କେବଳ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୮୦ରେ ପହଞ୍ଚିଲାଣି । ଯାହାକୁ ନେଇ ଜିଲ୍ଲାରେ ଲୋକେ ଛାନିଆ। ବିଲ ଓ ଜଙ୍ଗଲ ଯିବାକୁ ଡରୁଛନ୍ତି । କେମିତି ଜମିରେ ଚାଷ କରିବେ ଚିନ୍ତା ମାଡ଼ିବସିଲାଣି । ସୁନ୍ଦରଗଡ଼କୁ ଛାଡ଼ି ବରଗଡ଼, ନବରଙ୍ଗପୁର ଓ କେନ୍ଦୁଝରରେ ଆତଙ୍କ ସୃଷ୍ଟି କରିଛି । ସପ୍ତାହ ଭିତରେ ସ୍କ୍ରବ୍ ଟାଇଫସରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସୋହେଲା ବ୍ଲକ୍ରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଅତାବିରା, ବରପାଲି ଓ ଭେଡେନ୍ରେ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଡାକ୍ତର ନିରଜ ମିଶ୍ର କହିଛନ୍ତି, ସ୍କ୍ରବ୍ ଟାଇଫସ୍ ରୋଗୀଙ୍କୁ ଠିକଣା ସମୟରେ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା କରାନଗଲେ ୪୦% ମୃତ୍ୟୁ ସମ୍ଭାବନା ଥାଏ । ଆଉ ଠିକ୍ ସମୟରେ ଚିକିତ୍ସା କଲେ ଏହି ହାର ୧ରୁ ୨% ରହିବ । ପ୍ରଥମ ସପ୍ତାହ ଭିତରେ ଜ୍ୱର ଓ ଯନ୍ତ୍ରଣା ହେବ। ଆଉ ସପ୍ତାହ ପରେ ଦେହସାରା ଲାଲ୍ ଲାଲ ଫଳିଯିବ । ଏହାପରେ ନିମୋନିଆ ଭଳି ପରିସ୍ଥିତି ସୃଷ୍ଟି ହୋଇ ମସ୍ତିଷ୍କ ଓ ଛାତିରେ ଯନ୍ତ୍ରଣା ବଢ଼ିବ।
Powered by Froala Editor