ମହାନଦୀ ଟ୍ରିବ୍ୟୁନାଲ: ଶୁଣାଣି ହେବ ଅକ୍ଟୋବର ୧୯ ରେ
ନୂଆଦିଲ୍ଲୀ: ଅକ୍ଟୋବର ୧୯ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି ହେବ । ମହାନଦୀକୁ ନେଇ ହୋଇଥିବା ମୂଳ ମାମଲା ଉପରେ ଟ୍ରିବ୍ୟୁନାଲ ଶୁଣାଣି କରିବେ । ୧୦ ଦିନ ଭିତରେ ସବୁ ରାଜ୍ୟ ନିଜର ସାକ୍ଷୀ ତାଲିକା ଟ୍ରିବ୍ୟୁନାଲରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୯ ତାରିଖରେ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବା ସହ ସାକ୍ଷୀଙ୍କୁ ଜେରା କରାଯିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।
ମହାନଦୀ ଜଳ ବିବାଦ ମାମଲା ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏ ଏମ୍ ଖାନୱିଲକରଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠଙ୍କ ନିକଟରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଶନିବାର ଶୁଣାଣି ହୋଇଥିଲା । ପ୍ରତି ରାଜ୍ୟକୁ କମନ୍ ଫର୍ମାଟ ଇନଫର୍ମମେସନ (ସିଏଫ୍ଆଇ) ଜରିଆରେ ବିଭିନ୍ନ ତଥ୍ୟ ମଗାଯାଇଥିଲା । ଯେଉଁମାନେ ଆଉ କିଛି ତଥ୍ୟ ଦେବା ବାକି ରଖିଛନ୍ତି ସେମାନେ ୪ ସପ୍ତାହ ଭିତରେ ସିଏଫ୍ଆଇ ମାଧ୍ୟମରେ ତଥ୍ୟ ଦେବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସୁଦ୍ଧା କମନ୍ ଫର୍ମାଟ ଇନଫର୍ମମେସନରେ ଯେଉଁ ତଥ୍ୟ ଆସିଛି ଆସେସରମାନେ ତାକୁ ଯାଞ୍ଚ କରିଛନ୍ତି । ତାହା ଆଧାରରେ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବା ସହ ସାକ୍ଷ୍ୟ ଗ୍ରହଣ ଚାଲିବ ବୋଲି କୁହାଯାଇଛି ।
ଶୁଣାଣି ସମୟରେ ଖଣ୍ଡପୀଠ ଓଡ଼ିଶା ସରକାରଙ୍କୁ କହିଥିଲେ, କୌଣସି ପ୍ରସଙ୍ଗରେ ସମସ୍ୟା ସୃଷ୍ଟି ହେଲେ ଆଉ ପୁରୁଣା ମାମଲାରେ ଏହାକୁ ନ ଯୋଡ଼ି ନୂଆ ଆବେଦନ ଜରିଆରେ ଅପିଲ୍ କରିପାରିବେ । ଏଥିସହ ଖଣ୍ଡପୀଠ ଓଡ଼ିଶାର ଅନ୍ତରୀଣ ଆବେଦନକୁ ଚୂଡ଼ାନ୍ତ କରିଛନ୍ତି । ଏହାଛଡ଼ା ଖଣ୍ଡପୀଠ ମଧ୍ୟ ସଂପୃକ୍ତ ରାଜ୍ୟକୁ କମନ୍ ଫର୍ମାଟରେ ସୂଚନା ଦାଖଲ କରିବା ସକାଶେ ସମୟ ସୀମାକୁ କୋହଳ କରିଛନ୍ତି ।
Powered by Froala Editor