ନୂଆ ଅଧ୍ୟାୟ ଆରମ୍ଭ, ତାମିଲନାଡୁ ମନ୍ଦିରରେ ରହିବେ ମହିଳା ପୁରୋହିତ
ତାମିଲନାଡୁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହାକି ଦେଶରେ ପ୍ରଥମ । ଏଣିକି ତାମିଲନାଡୁ ମନ୍ଦିରରେ ରହିବେ ମହିଳା ପୂଜକ। ଏମାନେ ମନ୍ଦିରରେ ପୁରୋହିତ ଦାୟିତ୍ୱରେ ରହିବେ। ରମ୍ୟା, କୃଷ୍ଣାବେଣୀ ଏବଂ ରଞ୍ଜିତା ନାମକ ତିନି ଯୁବତୀ ଏକ ବର୍ଷିୟ ପାଠ୍ୟକ୍ରମ ଶେଷ କରିଛନ୍ତି। ଏମାନେ ତ୍ରିଚିର ଶ୍ରୀରଙ୍ଗମ ମନ୍ଦିରରେ ତାମିଲ ଏବଂ ସଂସ୍କୃତ ଭାଷାରେ ପୂଜାବିଧି ପାଇଁ ପାଠ ପଢିଛନ୍ତି। 'ଅଲ୍-କାଷ୍ଟ ପ୍ରିଷ୍ଟ୍ସ' ଯୋଜନା ମାଧ୍ୟରେ ଏମାନେ ପୁରୋହିତ ପାଇଁ ପାଠ୍ୟକ୍ରମ ସମାପ୍ତ କରିଛନ୍ତି। ସହକାରୀ ପୁରୋହିତ ଭାବରେ ନିଯୁକ୍ତ ହେବା ପୂର୍ବରୁ ଏହି ତିନିଜଣ ମହିଳା ତାମିଲନାଡୁର ବିଭିନ୍ନ ମନ୍ଦିରରେ ଏକ ବର୍ଷ ଧରି ତାଲିମ ନେବେ।
ପୂର୍ବରୁ ତାମିଲନାଡୁର ଡିଏମକେ ସରକାର ସମସ୍ତ ସାମାଜିକ ପ୍ରତିବନ୍ଧକକୁ ବାଦ୍ ଦେଇ ମନ୍ଦିରରେ ସମସ୍ତ ଜାତିର ପୁରୁଷଙ୍କୁ ପୁରୋହିତ ଭାବେ ନିଯୁକ୍ତି ଦେଇଛି। ବର୍ତ୍ତମାନ ମହିଳାମାନେ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି ଯେ, ବର୍ତ୍ତମାନ ମହିଳାମାନଙ୍କୁ ପାଇଲଟ୍ ଏବଂ ମହାକାଶଚାରୀ ଭାବେ ସୁଯୋଗ ମିଳିବା ସତ୍ତ୍ୱେ ସେମାନଙ୍କୁ ମନ୍ଦିର ପୁରୋହିତ ଭଳି ପବିତ୍ର ଭୂମିକା ପାଇଁ ବାରଣ କରାଯାଉଥିଲା। କିନ୍ତୁ ଏକତା ଏବଂ ସମାନତାର ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ଷ୍ଟାଲିନ କହିଛନ୍ତି।
ଏ ବାବଦରେ ରମ୍ୟା କହିଛନ୍ତି, ମନ୍ଦିରରେ ପ୍ରଥମ ମହିଳା ପୁରୋହିତର ଦାୟିତ୍ୱ ମିଳିଥିବାରୁ ଆମେ ଗର୍ବିତ। ଅନ୍ୟ ମହିଳାମାନେ ମଧ୍ୟ ଏହି ସୁଯୋଗ ପାଆନ୍ତୁ ବୋଲି ଆମେ ଚାହୁଁଛୁ।
Powered by Froala Editor