ସିସିଡି ସଂଘର୍ଷରେ ମାଳବିକା : ଦିନେ ଋଣ ବୋଝରେ ଆତ୍ମହତ୍ୟା କରିଥିଲେ ସ୍ୱାମୀ, ପୁଣି ଠିଆ କଲେ କମ୍ପାନୀ
ସିସିଡି (କଫି କାଫେ ଡେ)ର କାହାଣୀ ବହୁତ ସଂଘର୍ଷପୂର୍ଣ୍ଣ । ପ୍ରଥମେ ଏହାକୁ ପ୍ରତିଷ୍ଠା କରିଥିଲେ ସିଦ୍ଧାର୍ଥ ହେଗ୍ଡେ । ହେଲେ ଋଣ ବୋଝରେ ସେ ଭାଙ୍ଗି ପଡିଥିଲେ । ଶେଷରେ ମୃତ୍ୟୁକୁ ବାଛି ନେଇଥିଲେ । ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ତେବେ ସିସିଡି ସଂଘର୍ଷର ରାସ୍ତା ଏଠି ଶେଷ ହେଲାନି । ତାର ମଙ୍ଗ ଧରିଲେ ସିଦ୍ଧାର୍ଥଙ୍କ ପତ୍ନୀ ମାଳବିକା ।
ମାଳବିକାଙ୍କ ସ୍ବାମୀ ସିଦ୍ଧାର୍ଥ ହେଗ୍ଡେ କାଫେ କଫି ଡେ ଜରିଆରେ ୮୦୦୦କୋଟିର କମ୍ପାନୀ ଛିଡ଼ା କରିଥିଲେ। ହେଲେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ଥିଲେ। ଫଳରେ ସେ ଦେବାଳିଆ ହେବା ସହ ଋଣରେ ବୁଡ଼ି ଆୟକର ଯାଞ୍ଚ ପରିସରକୁ ଆସିଥିଲେ। ଏହାକୁ ନେଇ ସେ ଚିନ୍ତାରେ ରହୁଥିଲେ। ଶେଷରେ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିନେଇଥିଲେ।
ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ସନ୍ତାନର ଜନନୀ ମାଳବିକାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ୨୦୧୯ ଜୁଲାଇରେ କମ୍ପାନୀ ଉପରେ ୭୦୦୦ କୋଟିର କରଜ ଥିଲା। ହେଲେ ସେ ପିଲାଙ୍କ ଲାଳନପାଳନ ସହ ସେ ବୁଡ଼ି ଯାଉଥିବା କମ୍ପାନୀକୁ ବଞ୍ଚାଇବାକୁ ଅଣ୍ଟା ଭିଡିଥିଲେ। ପ୍ରାୟ ୩ ବର୍ଷରେ କରଜକୁ ୯୫% ପର୍ଯ୍ୟନ୍ତ କମାଇ ଦେଇଥିଲେ।
ମାଳବିକା ପ୍ରଥମେ ୨୫ ହଜାର କର୍ମଚାରୀଙ୍କ ବିଶ୍ୱାସ ଜିତିଥିଲେ। ଚଳିତ ବର୍ଷ ଏପ୍ରିଲ-ଜୁନ୍ ତ୍ରୈମାସିକରେ କମ୍ପାନୀକୁ ୨୫.୫୭ କୋଟି ଟଙ୍କାର ଲାଭ ହୋଇଛି। ସିସିଡି ଏବେ ୯୪ କୋଟି ଲୋନ୍ ଡିଫଲ୍ଟ ମାମଲାରେ ମଧ୍ୟ ଆଶ୍ୱସ୍ତ ହୋଇଛି। ଏହା ମାଳବିକାଙ୍କ ନେତୃତ୍ୱ ଯୋଗୁ ସମ୍ଭବ ହୋଇଛି।
ମାଳବିକାଙ୍କ ଏହି ସଂଘର୍ଷ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ସେ ଏବେ ନିଜ କର୍ମଚାରୀଙ୍କୁ ଭଲ ଦରମା ସହ ଆନୁସଙ୍ଗିକ ସୁବିଧା ଦେଉଛନ୍ତି । ଯେଉଁଥିପାଇଁ ସେ ଭଲ ଲାଭ କମାଉଛନ୍ତି ବୋଲି କହିଛନ୍ତି ।
Powered by Froala Editor