ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ଜାଣନ୍ତୁ କାହିଁକି?

ଭୁବନେଶ୍ବର: ଅନୁଗୁଳ ଜିଲ୍ଲାର ପବିତ୍ରନଗର ନୂଆ ବସ୍ତିରେ ଥିବା ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥି ସହ ଭୂମି ଅଧିଗ୍ରହଣ ସମୟରେ ନଷ୍ଟ ହୋଇଯାଇଥିବା ପାଣିହତାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ପାଇଁ ଜଣାଇଛନ୍ତି।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୧୯୬୦ ମସିହାରେ ସମାକୋଇ ନଦୀରେ ଆସିଥିବା ବଡ ବନ୍ୟାରେ ପ୍ରଭାବିତ ପରାବିଲ ଗ୍ରାମବାସୀ ପବିତ୍ରନଗର ନୂତନ ବସ୍ତିରେ ବସବାସ କରି ଆସୁଛନ୍ତି। ଦୁର୍ଭାଗ୍ୟର କଥା, ଦୀର୍ଘ ୬ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏ ଯାବତ ଜଣେ ହେଲେ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ଖଣ୍ଡିଏ ମିଳି ପାରି ନାହିଁ। ସେହପରି ପରାବିଲ ସ୍ଥିତ ରେଳ ଷ୍ଟେସନର ଭୂମି ଅଧିଗ୍ରହଣ ସମୟରେ ପାଣିହତା ମଧ୍ୟ ନଷ୍ଟ ହୋଇଯାଇଛି। ଉକ୍ତ ପାଣିହତାଟି ଗ୍ରାମର ୨ଟି ବନ୍ଧ-ମାଷ୍ଟ୍ରବନ୍ଧ ଓ ବଡବନ୍ଧର ପାଣିକୁ ସଂଯୋଗ କରୁଥିଲା। ତେଣୁ ଏହାର ପୁନରୁଦ୍ଧାର ଅତି ଜରୁରୀ ହୋଇପଡିଛି। ଏଦିଗରେ ସମୟୋଚିତ ପଦକ୍ଷେପ ନେବା ତଥା ବିସ୍ଥାପିତଙ୍କ ନ୍ୟାଯ୍ୟ ଦାବି ପୂରଣ ଦିଗରେ ତତ୍ପରତା ପ୍ରକାଶ କରିବା ପାଇଁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।
Powered by Froala Editor