ବାଙ୍କୀରେ ପ୍ରବେଶ କଲା ମହାନଦୀର ପ୍ରଥମ ବନ୍ୟାଜଳ
କଟକ: କଟକ ବାଙ୍କୀରେ ପ୍ରବେଶ କଲା ମହାନଦୀର ପ୍ରଥମ ବନ୍ୟାଜଳ । ବାଙ୍କୀର ତଳିଆ ଅଞ୍ଚଳ ମାନଙ୍କରେ ବନ୍ୟାଜଳ ପ୍ରବାହିତ ହେଉଛି । ଏବେ ସୁବର୍ଣ୍ଣପୁର ନିକଟ ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବାଙ୍କୀର ୬ଟି ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି ।
ବାଉଁଶପୁଟ, ବନ୍ଦା. ରତାଗଡ, ଓସ୍ତିଆ ଆଦି ପଞ୍ଚାୟତର ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ମାଡି ଯାଇଛି । ସେପଟେ ଶିମିଳିପୁର ବିଲିପଡ଼ା ରାସ୍ତାର କଇଁଆ ନାଳ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବିଲିପଡ଼ାରୁ ଶିମିଳିପୁର ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ହେକ୍ଟର ହେକ୍ଟର ପରିବା ଫସଲରେ ବନ୍ୟା ଜଳ ମାଡି ଯାଇଥିବା ଦେଖିବାକୁ ମିଳିଛି ।
ସେପଟେ ମହାନଦୀରେ ମୁଣ୍ଡଳି ଦେଇ ପ୍ରବାହିତ ହେବ ବନ୍ୟାଜଳ । ମଧ୍ୟାହ୍ନ ୧୨ଟା ସୁଦ୍ଧ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ । ଏଥିପାଇଁ ଏସଆରସି ସତର୍କତା ଜାରି କରିଛନ୍ତି । ବନ୍ୟା ଜଳ ପ୍ରବାହିତ ହେଲେ ତଳିଆ ଅଞ୍ଚଳ ପ୍ରବାହିତ ହେବ । ଏହାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ୭ ଜିଲ୍ଲା ହେଲେ ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା । ଏହି ସବୁ ଜିଲ୍ଲାରେ ଯେଉଁଠି ଦୁର୍ବଳ ନଦୀ ବନ୍ଧ ରହିଛି ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor