୧୨ଟା ସୁଦ୍ଧ ମୁଣ୍ଡଳି ଦେଇ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ
ଭୁବନେଶ୍ୱର: ମହାନଦୀରେ ମୁଣ୍ଡଳି ଦେଇ ପ୍ରବାହିତ ହେବ ବନ୍ୟାଜଳ । ମଧ୍ୟାହ୍ନ ୧୨ଟା ସୁଦ୍ଧ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ । ଏଥିପାଇଁ ଏସଆରସି ସତର୍କତା ଜାରି କରିଛନ୍ତି । ବନ୍ୟା ଜଳ ପ୍ରବାହିତ ହେଲେ ତଳିଆ ଅଞ୍ଚଳ ପ୍ରବାହିତ ହେବ । ଏହାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ୭ ଜିଲ୍ଲା ହେଲେ ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା । ଏହି ସବୁ ଜିଲ୍ଲାରେ ଯେଉଁଠି ଦୁର୍ବଳ ନଦୀ ବନ୍ଧ ରହିଛି ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଗଭୀର ଅବପାତ ଆଜି ପଶ୍ଚିମ ଉତ୍ତରର ପଶ୍ଚିମ ଦିଗକୁ ମୁହାଁଇଛି । ଆଗକୁ ଏହା ଦୁର୍ବଳ ହୋଇ ଅବପାତ ଓ ସଦୃଶ୍ୟ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ବର୍ଷା ଆହୁରି ୧୨ ଘଣ୍ଟା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର ଓ ସମ୍ବଲପୁରର ଅଧିକାଂଶ ସ୍ଥାନରେ ୨ଶହ ମିମିରୁ ଅଧିକ ପରିମାଣର ବର୍ଷା ହୋଇପାରେ। ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୧୦ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଢେଙ୍କାନାଳ, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, କଟକ, ନୟାଗଡ଼, ନବରଙ୍ଗପୁର ଓ ଯାଜପୁରରେ ପ୍ରବଳ ବର୍ଷା ହେବାକୁ ଥିବା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।ସେପଟେ ଛତିଶଗଡ଼ରେ ଦୁଇ ଦିନ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ମହାନଦୀ ଜଳସ୍ତର ବଢିପାରେ ।
Powered by Froala Editor