ଆଖୁଆପଦା ଓ ଆନନ୍ଦପୁର, ବୈତରଣୀରେ ବିପଦ ସଂକେତଠାରୁ ଉଚ୍ଚରେ ପାଣି
ଭଦ୍ରକ : ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଏବେ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି । ବୈତରଣୀ ନଦୀରେ ବଡ଼ ବନ୍ୟା ଆସିଛି। ଆଖୁଆପଦା ଓ ଆନନ୍ଦପୁରରେ ବୈତରଣୀରେ ବିପଦ ସଂକେତଠାରୁ ଉଚ୍ଚରେ ପାଣି ବହୁଛି। ଭଦ୍ରକ ଜିଲ୍ଲା ରେ ବନ୍ୟା ସ୍ଥିତି ଉପୁଜିଛି। ବୈତରଣୀ , ସାଳନ୍ଦୀ , ଗେଙ୍ଗୁଟି ନଦୀ ରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।
ବୈତରଣୀ ନଦୀରେ ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ୧୯.୮୮ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। କଣ୍ଟିଘାଇ , ଗୌରାଙ୍ଗପୁର ଏସକେପ ଦେଇ ବନ୍ୟାଜଳ ଜନବସତିକୁ ପ୍ରବେଶ କରିଛି । ଭଦ୍ରକରୁ ଯାଜପୁର ଟାଉନକୁ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି । ଷୋଳମପୁର ପଞ୍ଚାୟତ ଖପୁରିଆପଦା ମୁଖ୍ୟ ରାସ୍ତା ରେ ୩ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮.୩୬ମିଟର ଥିବାବେଳେ ଏବେ ୪୦ମିଟର ଉପରେ ପାଣି ବହୁଛି। ଏବେବି ବୈତରଣୀର ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ୁଛି।
ସେହିପରି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣଂ ଦିଆଯାଇଥିବା ବେଳେ ବର୍ଷା ବିତ୍ପାତର ମୁକାବିଲା ପାଇଁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ୧୦ଟି ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ମୁତୟନ କରିଛନ୍ତି । ଏଥି ସହ ୧୦ ଜିଲ୍ଲାରେ ୧୩ଟି ଅଗ୍ନିଶମ ସେବା ଟିମ ମୁତୟନ କରାଯାଇଛି । ଆଗାମୀ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଓଡ୍ରାଫ ଓ ଏନଡିଆରଏଫ୍ ଟିମକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।
Powered by Froala Editor