ଦୁଇ ଓକିଲ ଗୋଷ୍ଠୀ ମୁହାଁମୁହିଁ, କୋର୍ଟରେ ଫୁଟିଲା ଗୁଳି

ଦିଲ୍ଲୀର ତିସ ହଜାରି କୋର୍ଟ କମ୍ପ୍ଲେକ୍ସ ଭିତରେ ଫୁଟିଛି ଗୁଳି। ଓକିଲମାନଙ୍କ ମଧ୍ୟରେ ବିତର୍କ ଏବଂ ଝଗଡା ପରେ ଜଣେ ବ୍ୟକ୍ତି ଗୁଳି ଚଳାଇଥିବା ଜଣାପଡ଼ିଛି। କିଛି ଓକିଲ ହିଁ ସର୍ବସମ୍ମୁଖରେ ଏପରି ଗୁଳିମାଡ଼ କରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ମହେଶ ଶର୍ମା ନାମକ ଜଣେ ଓକିଲ ଗୁଳି ଚଳାଉଥିବା ଦେଖିବାକୁ ମିଳିଛି। ତାଙ୍କ ବ୍ୟତୀତ ଆଉ କିଛି ଓକିଲ ମଧ୍ୟ ଗୁଳି ମାଡ଼ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଗୁଳିମାଡ଼ର ଦୃଶ୍ୟ ସାମ୍ନାକୁ ଆସିବା ପରେ ଦିଲ୍ଲୀ ବାର କାଉନସିଲ ପକ୍ଷରୁ ମହେଶ ଶର୍ମାଙ୍କ ଲାଇସେନ୍ସକୁ ବାତିଲ କରି ଦିଆଯାଇଛି।
ଦିଲ୍ଲୀ ପୁଲିସ କହିଛି ଯେ ଆଜି ଦିନ ପ୍ରାୟ ୧.୩୫ ସମୟରେ ତିସ୍ ହଜାରି କୋର୍ଟ ପରିସରରେ ଗୁଳି ଫୁଟିଥିଲା। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିବାକୁ ପାଇଥିଲା ଯେ ଦୁଇ ଗୋଷ୍ଠୀର ଓକିଲମାନେ ଫାଙ୍କା ଗୁଳି ଚାଳନା କରିଛନ୍ତି ଏବଂ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ତେବେ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ଥିବା ବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛି ପୁଲିସ। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଏକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Powered by Froala Editor