ଦେଢ଼ ମାସର ଶିଶୁକନ୍ୟାକୁ ମାରିଦେଲା ମା
କେନ୍ଦ୍ରାପଡ଼ା : ଦେଢ଼ ମାସର ଶିଶୁକନ୍ୟାକୁ ତା’ ମା’ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁର ଜେଜେମା’ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧୀନ ପଦନିପାଳ ଗ୍ରାମରୁ ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗ ଥାନାକୁ ଆସିଛି । ଅଭିଯୋଗ ପାଇ ଆଳି ପୁଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମା’କୁ ଅଟକ ରଖି ପଚରାଉଚରା କରୁଛି ।
ଅଭିଯୋଗରୁ ପ୍ରକାଶ, ଅମୀୟ ମହାନ୍ତି ନୂଆଦିଲ୍ଲୀରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରନ୍ତି । ଘରେ ତାଙ୍କର ବୃଦ୍ଧ ବାପା, ମା’, ପତ୍ନୀ ଓ ପିଲା ରହୁଛନ୍ତି । ଅମୀୟ ବାହାରେ ରହିବା ମଧ୍ୟରେ ପତ୍ନୀ ରଶ୍ମିତା ଅନେକ ସମୟରେ ଘରେ ପାଟିତୁଣ୍ଡ କରନ୍ତି । ଶାଶୂ, ଶଶୁରଙ୍କ ସହ ମାର୍ପିଟ୍ କରିବାକୁ ପଛାନ୍ତି ନାହିଁ । ଏପରିକି ମାସକ ତଳେ ଅମୀୟ ଗାଁକୁ ଆସିଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ରଶ୍ମିତା ରାଗି ଯାଇ ସ୍ୱାମୀଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ । ଗତକାଲି ରାତିରେ ରଶ୍ମିତାଙ୍କ ଶାଶୂ ବାସନ୍ତୀ ଓ ଶଶୁର ରବୀନ୍ଦ୍ର ଗୋଟିଏ ଘରେ ଶୋଇଥିବା ବେଳେ ରଶ୍ମିତା ତାଙ୍କ ୩ ବର୍ଷର ପୁଅ ଆୟୁଷ ଓ ଦେଢ଼ ମାସର ଝିଅ ତ୍ରିଶାଖାଙ୍କ ସହ ଅନ୍ୟ ଏକ ଘରେ ଶୋଇଥିଲେ । ସକାଳୁ ଉଠିଲା ବେଳକୁ ଦେଢ଼ ମାସର ନାତୁଣୀର ନାକରୁ ପ୍ରଚୁର ରକ୍ତସ୍ରାବ ହୋଇଥିବା ଶାଶୂ ବାସନ୍ତୀ ଦେଖିବାକୁ ପାଇଥିଲେ । ତୁରନ୍ତ ଶିଶୁଟିକୁ ନିକଟସ୍ଥ କଣ୍ଡିଆହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନେଇ ସେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତାଙ୍କ ନାତୁଣୀକୁ ବୋହୂ ରଶ୍ମିତା ମାରି ଦେଇଥିବା ସନ୍ଦେହ କରି ସେ ବୋହୂ ନାଁରେ ଆଳି ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ବାସନ୍ତୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଓ ଅଭିଯୁକ୍ତ ରଶ୍ମିତାଙ୍କୁ ଥାନାରେ ଅଟକ ରଖିଛି ।
Powered by Froala Editor