ପେନସନ ଅପେକ୍ଷାରେ କର୍ମଚାରୀ, ସଚିବମାନଙ୍କୁ ତାଗିଦ୍ କଲେ ମୁଖ୍ୟ ସଚିବ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଚାକିରିରୁ ଅବସର ଦିନ ହିଁ ପେନସନ୍ ପାଇବାର ପ୍ରାବଧାନ ଥିବା ସତ୍ତ୍ୱେ ବହୁ ସଂଖ୍ୟକ କର୍ମଚାରୀ ନିଜର ପେନସନ ପାଇବାକୁ ଅପେକ୍ଷା କରି ରହିଛନ୍ତି । ଯାହାକୁ ନେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କ୍ଷୁବ୍ଧ ହେବା ସହ ଏନେଇ ତୁରନ୍ତ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ନିମନ୍ତେ ସମସ୍ତ ପ୍ରଶାସନିକ ବିଭାଗ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସରକାରୀ କର୍ମଚାରୀ ଅବସର ପରେ ପେନସନ୍ ପାଇବାରେ ବିଳମ୍ବ ହେଲେ ସମ୍ପୃକ୍ତ ପେନସନଧାରୀ ବାର୍ଷିକ ୧୮% ସୁଧ ହାରରେ ନିଜ ପେନସନ୍ ପାଇବାକୁ ହକଦାର । ଆଉ ତାଙ୍କ ପେନସନ ପ୍ରଦାନରେ ବିଳମ୍ବ ପାଇଁ ଯିଏ ଦାୟୀ(ଯେଉଁ ଅଫିସର ବା କର୍ମଚାରୀ) ତାଙ୍କଠୁ ଏହି ସୁଧ ସୁଧ ଅର୍ଥ ଆଦାୟ କରିବାକୁ ଶ୍ରୀ ଜେନା ସମସ୍ତ ବିଭାଗର ସଚିବମାନଙ୍କୁ ତାଗିଦ୍ କରିଛନ୍ତି ।
ଶ୍ରୀ ଜେନା ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଧାରିତ ସମୟରେ ପେନସନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେବା ସହ ପେନସନ୍ ମଞ୍ଜୁର କରୁଥିବା କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଛନ୍ତି । ଓଡ଼ିଶା ସିଭିଲ୍ ସର୍ଭିସ(ପେନସନ) ରୁଲସ-୧୯୯୨ ଅନୁସାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ପ୍ରଦାନ କରିବା ହେଉଛି ସରକାରଙ୍କ କର୍ତ୍ତବ୍ୟ । କିନ୍ତୁ ଏବେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ବହୁ ସଂଖ୍ୟକ ପେନସନ୍ ମାମଲା ଏବେ ବିଭିନ୍ନସ୍ତରରେ ପ୍ରଶାସନିକ ବିଭାଗ ଓ ଅଧସ୍ତନ ଅଫିସ ଗୁଡ଼ିକରେ ପଡ଼ିରହିଛି । ଏବେ ପଡ଼ି ରହିଥିବା ପେନସନ ମାମଲାର ସଦ୍ୟ ସମୀକ୍ଷାରୁ ମଧ୍ୟ ଜଣାପଡ଼ିଲା ଯେ, ବିଭାଗଗୁଡ଼ିକ ପଦକ୍ଷେପ ଓ ଅଗ୍ରଗତି ମଧ୍ୟ ଏଦିଗରେ ସନ୍ତୋଷଜନକ ନୁହେଁ। ତେଣୁ ସମସ୍ତ ପ୍ରଶାସନିକ ବିଭାଗ ପୁଣିଥରେ ସାଧାରଣ ପ୍ରଶାସନ ଦ୍ୱାରା ଜାରି ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପେନସନ୍ ପ୍ରଦାନ ଉପରେ ଗୁରୁତ୍ୱ ଓ ଆବଶ୍ୟକସ୍ଥଳେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଛନ୍ତି ।
Powered by Froala Editor