ଭୀଷଣ ଅଗ୍ନିକାଣ୍ଡ,୪ ମୃତ
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୪ଜଣଙ୍କ ମୃତ ହୋଇଛନ୍ତି । ୩ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ଜୀବନ ଯାଇଛି। ଉତ୍ତରପ୍ରଦେଶ ଝାନ୍ସୀ ସିପରି ବଜାର ଅଞ୍ଚଳରେ ଏହି ଭୀଷଣ ଅଗ୍ନିକାଣ୍ଡ ଘଟିଛି। ୩ ମହଲା ବିଶିଷ୍ଟ ଶୋ’ ରୁମ୍ରେ ଗତକାଲି ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ପାଇଁ ୮୦ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ, ଉଦ୍ଧାର କାର୍ୟ୍ୟ ପାଇଁ ସେନାର ସହାୟତା ନିଆଯାଇଛି ।
ପ୍ରାୟ ୧୦ ଘଣ୍ଟା ହେଲା ରେସକ୍ୟୁ ଅପରେସନ ଚାଲିଥିଲା। ସେନା, ଅଗ୍ନିଶମ ବାହିନୀ ଓ ସ୍ଥାନ ପୋଲିସ ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଥିଲେ । ପ୍ରଥମେ ମାର୍କେଟ ବିଲ୍ଡିଂର ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ନିଆଁ ଲାଗିଥିଲା । ଏହା ପରେ ନିଆଁ ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିଥିଲା । ବିଲ୍ଡିଂରେ ଅଧିକ ଇଲେକ୍ଟ୍ରୋନିକ୍ସ ଓ ଫର୍ନିଚର ଦୋକାନ ଥିବାରୁ ନିଆଁ ନିମିସକେ ବ୍ୟାପି ଯାଇଥିଲା । ଗତକାଲି ହଠାତ୍ ନିଆଁ ଲାଗିବା ସମୟରେ ଶୋ’ ରୁମ୍ ଭିତରେ ଅନେକ ଲୋକ ଥିଲେ । କିଛି ଲୋକ ବାହାରି ଆସିଥିବା ବେଳେ ୪ଜଣ ଫଶିଯାଇଥିଲେ । ୩ଜଣ ଶୋ’ ରୁମ୍ ଭିତରେ ଜୀବନ୍ତ ଜଳିଯାଇଥିଲେ ।
ଏହି ଅଗ୍ନିକାଣ୍ଡରେ ଏକ ଇନସୁରାନ୍ସ କମ୍ପାନୀର ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ କାମ କରୁଥିବା ଜଣେ ମହିଳା ପୋଡ଼ି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।
Powered by Froala Editor