ସାରା ଦେଶକୁ ସ୍ପର୍ଶ କଲା ମୌସୁମୀ

ଭୁବନେଶ୍ବର : ଚଳିତ ବର୍ଷ ୭ ଦିନ ବିଳମ୍ବରେ ଅର୍ଥାତ ଜୁନ୍ ୮ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିବା ବେଳେ ୬ ଦିନ ପୂର୍ବରୁ ସାରା ଦେଶକୁ ସ୍ପର୍ଶ କରିସାରିଛି। ଆଜି ଦେଶର କିଛି ସ୍ଥାନ ଯଥା, ରାଜସ୍ଥାନର ଅବଶିଷ୍ଟ ଅଞ୍ଚଳ, ହରିୟାନା ଓ ପଞ୍ଜାବର ସମସ୍ତ ଅଞ୍ଚଳରେ ମୌସୁମୀ ପହଞ୍ଚିବା ସହ ସମଗ୍ର ଦେଶରେ ସକ୍ରିୟ ହୋଇଛି। ସାଧାରଣ ଭାବେ ମୌସୁମୀ କେରଳ ଛୁଇଁବା ପରେ ଜୁଲାଇ ୮ ତାରିଖ ସୁଦ୍ଧା ଏହା ସାରା ଦେଶକୁ ବ୍ୟାପିଥାଏ। କିନ୍ତୁ ଚଳିତ ବର୍ଷ ୬ ଦିନ ପୂର୍ବରୁ ହିଁ ସାରା ଦେଶରେ ମୌସୁମୀ ସକ୍ରିୟ ହୋଇଛି। ତେବେ ଜୁନ ମାସରେ ଦେଶସାରା ନିଅଣ୍ଟିଆ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଦେଶରେ ସ୍ବାଭାବିକ ଠାରୁ ହାରାହାରି ୧୦ ଭାଗ କମ୍ ବର୍ଷା ହୋଇଥିବା ବେଳେ କେତେକ ରାଜ୍ୟରେ ସ୍ଥିତି ସଙ୍ଗୀନ ରହିଛି। ଅନେକ ରାଜ୍ୟରେ ସ୍ବାଭାବିକ ଠାରୁ ୬୦ ଭାଗ କମ୍ ବର୍ଷା ହୋଇଛି। ବର୍ଷା ଉପରେ ନିର୍ଭର କରୁଥିବା ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। କିନ୍ତୁ ଚଳିତ ଜୁଳାଇ ମାସରେ ସ୍ବାଭାବିକ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷ ପାଇଁ ବିଶେଷ ସମସ୍ୟା ହେବନାହିଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ରାଜ୍ୟରେ ମୌସୁମୀ ଏବେ ଦୁର୍ବଳ ଅବସ୍ଥାରେ ରହିଥିବା ବେଳେ ଦିନର ତାପମାତ୍ରା ବଢ଼ିବା ସହ ଗୁଳୁଗୁଳି ମଧ୍ୟ ଅଧିକ ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧.୩ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୧୦.୪ ମିମି ତୁଳନାରେ ୮୭% କମ୍। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ବର୍ଷା କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରଠାରେ ୭୦ ମିମି ରେକର୍ଡ ହୋଇଛି। ଆସନ୍ତାକାଲି ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ମଧ୍ୟ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
Powered by Froala Editor