ଯାନ୍ତ୍ରିକ ତ୍ରୁଟି ନୁହେଁ, ମାନବିକ ତ୍ରୁଟିରୁ ହୋଇଥିଲା ବାହାନଗା ଟ୍ରେନ ଦୁର୍ଘଟଣା

ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାକୁ ଜୁଲାଇ ୨ତାରିଖ ରବିବାର ଏକ ମାସ ପୂରିବ। ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଦୁର୍ଘଟଣାର ମାସକ ପରେ ତଦନ୍ତ କରୁଥିବା ରେଳ ସୁରକ୍ଷା କମିଶନର (ସିଆରଏସ୍) ସିଗନାଲ ବିଭାଗର କର୍ମଚାରୀଙ୍କ ମାନବିକ ତ୍ରୁଟିକୁ ଦାୟୀ କରିବା ସହ ଯାନ୍ତ୍ରିକ ତ୍ରୁଟି କିମ୍ବା ମେସିନ୍ରେ ତ୍ରୁଟି ଦେଖାଦେବାର ସମ୍ଭାବନାକୁ ଖଣ୍ଡନ କରିଛନ୍ତି।
ତେବେ ଏହି ରିପୋର୍ଟକୁ ସାର୍ବଜନୀନ କରାଯିବ ନାହଁି ବୋଲି ରେଳ ବିଭାଗ ମନା କରିଦେଇଛି। ଅପରପକ୍ଷରେ ମନୁଷ୍ୟକୃତ ତ୍ରୁଟିରୁ ଏଭଳି ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଥିବା ନେଇ ଚର୍ଚ୍ଚା ହେଉଛି।
ବିଶେଷ କରି ତିନି ବର୍ଷ ତଳେ ନିରାପତ୍ତା କାରଣରୁ ଡିଜାଇନ୍ରେ ପରିବର୍ତ୍ତନ ହେବା ପରେ ଯାଞ୍ଚର ପର୍ଯ୍ୟାପ୍ତ ସୁରକ୍ଷା ପଦ୍ଧତି ଅନୁସରଣ କରାଯାଇ ନଥିବା କେତେକ ଗ୍ରାଉଣ୍ଡ ଅଧିକାରୀଙ୍କ ଅବହେଳାକୁ ଦର୍ଶାଯାଇଛି। ଅଧିକାରୀମାନେ କହିଛନ୍ତି ଯେ କେବଳ ସିଗନାଲିଂ ବିଭାଗରେ ନୁହେଁ, ଡିଜାଇନରେ ପରିବର୍ତ୍ତନ ଆଣି ନଥିବା ଅନ୍ୟମାନଙ୍କ ସୁରକ୍ଷା ପ୍ରକ୍ରିୟା ପ୍ରତି ଅବହେଳାକୁ ଦର୍ଶାଯାଇଛି ଏବଂ ରେଳ ମନ୍ତ୍ରାଳୟ ସଂପୃକ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ରହିଛି।
ପ୍ରକାଶ ଥାଉକି, ଗତ ଜୁନ୍ ୨ତାରିଖରେ ବାହାନଗା ଷ୍ଟେଶନ ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ହାଓଡ଼ାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ, ଶାଲିମାର ଏକ୍ସପ୍ରେସ୍ ଏବଂ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏହି ଘଟଣାର କିଛିଦିନ ପରେ ଦକ୍ଷିଣ-ପୂର୍ବ ରେଲୱେର ମହାପ୍ରବନ୍ଧକ(ଜିଏମ୍) ଅର୍ଚ୍ଚନା ଜୋଷୀଙ୍କୁ ପଦରୁ ହଟାଯାଇଛି। ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ର ନୂଆ ମହାପ୍ରବନ୍ଧକ ବା ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତ ହୋଇଛନ୍ତି।
Powered by Froala Editor