ରତ୍ନଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟରେ ମାମଲା ଦାଏର

କଟକ : ରତ୍ନଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ପୁଣି ଏକ ମାମଲା ଦାଏର ହୋଇଛି । ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣନା କରାଯାଇ ତାହାର ଏକ ତାଲିକା ପ୍ରସ୍ତୁତ କରାଯିବା, ଏନେଇ ରାଜ୍ୟପାଳ ନଚେତ୍ ହାଇକୋର୍ଟର ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ଏବଂ ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି ।
ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପୂର୍ବରୁ ହାଇକୋର୍ଟରେ ଏକ ମାମଲା ବିଚାରାଧୀନ ରହିଥିବା ବେଳେ ମହାନ୍ତି ପୁଣି ଏହି ମାମଲା ରୁଜୁ କରିଛନ୍ତି । ଆବେଦନକାରୀ ତାଙ୍କ ପିଟିସନ୍ରେ ଦର୍ଶାଇଛନ୍ତି ଯେ, ୧୯୭୮ ମସିହାରେ ତତ୍କାଳୀନ ରାଜ୍ୟପାଳ ବି.ଡି. ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା । ଉକ୍ତ କମିଟିରେ କିଛି ପ୍ରଶାସନିକ ଅଧିକାରୀ, ବିଚାର ବିଭାଗୀୟ ଅଧିକାରୀ ଏବଂ ବୁଦ୍ଧିଜୀବୀମାନେ ସାମିଲ୍ ହୋଇଥିଲେ । ଏହି କମିଟି ଦ୍ୱାରା ମହାପ୍ରଭୁଙ୍କର ଭିତର ରତ୍ନଭଣ୍ଡାର ମଧ୍ୟରେ ଥିବା ଅଳଙ୍କାରର ଗଣନା ହୋଇଥିଲା । କିନ୍ତୁ ଏହା ପରଠାରୁ ଆଉ ରତ୍ନଭଣ୍ଡାରରେ ଥିବା ଗହଣାର ଗଣନା କରାଯାଇନାହିଁ । ସେହିପରି ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ରାଜ୍ୟ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଏକ ବିଚାର ବିଭାଗୀୟ ତଦନ୍ତ କମିସନ୍ ଗଠନ କରିଥିଲେ । ଜଷ୍ଟିସ୍ ରଘୁବୀର ଦାସ କମିସନ ୨୦୧୮ ନଭେମ୍ବର ୨୯ ତାରିଖରେ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦାଖଲ କରି ସାରିଛନ୍ତି । କିନ୍ତୁ ଏହି କମିସନଙ୍କ ରିପୋର୍ଟରେ କ’ଣ ରହିଛି ତାହା ଆଜି ପର୍ୟ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ସେହିପରି ମରାମତି ଓ ସୁରକ୍ଷା ଦୃଷ୍ଟିରୁ ରତ୍ନଭଣ୍ଡାରର ଖୋଲାଯିବାର ମଧ୍ୟ ନିହାତି ଆବଶ୍ୟକତା ରହିଛି ।
ତେଣୁ ହାଇକୋର୍ଟ ଏହି ପିଟିସନ୍କୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ରାଜ୍ୟପାଳ ନଚେତ୍ ହାଇକୋର୍ଟର ଜଣେ କାର୍ୟ୍ୟରତ ଜଜ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେବାସହ ରତ୍ନଭଣ୍ଡାରର ଅଳଙ୍କାର ଗଣନା ପାଇଁ ପଦକ୍ଷେପ ନେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ସେହିପରି ରତ୍ନଭଣ୍ଡାରର ଚାବି ହଜିଯିବା ଘଟଣାରେ ସିବିଆଇ ତଦନ୍ତ, ଜଷ୍ଟିସ୍ ରଘୁବୀର ଦାସ କମିସନ ଗଠନ ପାଇଁ ସରକାର ଯେତିକି ଅର୍ଥ ଖର୍ଚ୍ଚ କରିଛନ୍ତି ତାହା ଦାୟୀ ଅଧିକାରୀଙ୍କଠାରୁ ଆଦାୟ କରିବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ, ଗୃହ ବିଭାଗ ସଚିବ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ, ଏଏସ୍ଆଇର ଡିଜି, ଏଏସ୍ଆଇ ଭୁବନେଶ୍ୱର ସର୍କଲ ମୁଖ୍ୟଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ୟ୍ୟ ଏହି ମାମଲା ରୁଜୁ କରିଛନ୍ତି ।
Powered by Froala Editor