ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ନୂଆ ମୁଖ୍ୟ ଅଧ୍ୟକ୍ଷ ଅଳକା ଅରୋରା ମିଶ୍ର
ଭୁବନେଶ୍ୱର: ଦୀର୍ଘ ୭ବର୍ଷ ପରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡିଏ) ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚୀ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଦକ୍ଷତା ବିକାଶ ପ୍ରାଧିକରଣର ନୂଆ ଅଧ୍ୟକ୍ଷ ଭାବେ ଅଳକା ଅରୋରା ମିଶ୍ର ନିଯୁକ୍ତି ପାଇଛନ୍ତି । ଶ୍ରୀ ବାଗଚୀ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଶ୍ରୀ ବାଗଚୀ ପଦ ଛାଡ଼ିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ପ୍ରଶଂସା କରିଛନ୍ତି । ଶ୍ରୀ ବାଗଚୀ ନିଜର ୭୫୦ ବେଡ୍ ବିଶିଷ୍ଟ କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରରେ ଫୁଲଟାଇମ୍ ଦେବା ନିମନ୍ତେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ୨୦୧୬ ମସିହାରେ ଶ୍ରୀ ବାଗଚୀଙ୍କୁ ରାଜ୍ୟ ସରକାର ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଶ୍ରୀ ବାଗଚୀ ରାଜ୍ୟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ସହ ଦୀର୍ଘ ୭ବର୍ଷ ଧରି ଅଧ୍ୟକ୍ଷ ଭାବେ କାର୍ୟ୍ୟ କରୁଥିଲେ । ସେ ଏହି ପଦରୁ ଇସ୍ତଫା ଦେଇଥିବାବେଳେ ତାଙ୍କ ସ୍ଥାନରେ ରାଜ୍ୟ ସରକାର ପୂର୍ବତନ ଆଇଆରପିଏସ୍ ଅଫିସର ଅଳକା ଅରୋରା ମିଶ୍ରଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀମତୀ ମିଶ୍ର ଏବେ ୱାଲର୍ଡ ସ୍କିଲ ସେଂଟରର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କାର୍ୟ୍ୟ କରୁଛନ୍ତି । ରାଜ୍ୟ ସରକାର ତାଙ୍କୁ ଗତ ୨୦୨୨ ଅକ୍ଟୋବର ମାସରେ ଏହି ନିଯୁକ୍ତି ଦେଇଥିଲେ ।
ଶ୍ରୀମତୀ ମିଶ୍ର ହେଉଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ,କେମିକାଲ ଓ ବିର୍ଲା କାର୍ବନର ନିର୍ଦ୍ଦେଶକ ସନ୍ତୃପ୍ତ ମିଶ୍ରଙ୍କ ପତ୍ନୀ । ରାଜ୍ୟ ସରକାର ଶ୍ରୀ ମିଶ୍ରଙ୍କୁ ଏକାମ୍ର ଐତିହ୍ୟ ପ୍ରକଳ୍ପର ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାରର ଜଣେ ପାୱାରଫୁଲ୍ ପ୍ରଶାସକଙ୍କ ସମ୍ପର୍କୀୟ ଭାବେ ପରିଚିତ ଏହି ମିଶ୍ର ଦମ୍ପତିଙ୍କର ରାଜ୍ୟ ପ୍ରଶାସନରେ ବେଶ୍ ପ୍ରଭାବ ରହିଛି ।
Powered by Froala Editor