ଜୁଲାଇ ୧୩ ରେ ରେଚନ୍ଦ୍ରଯାନ-୩ର ଉତକ୍ଷେପଣ
ନୂଆଦିଲ୍ଲୀ: ଭାରତର ଆଗାମୀ ମୁନ୍ ମିଶନ ପାଇଁ ଆଉ ମାତ୍ର କେଇଟା ଦିନ ଅପେକ୍ଷା । ଆସନ୍ତାମାସରେ ହେବ ଚନ୍ଦ୍ରଯାନ-୩ର ଉତକ୍ଷେପଣ। ତେବେ ଜୁଲାଇ ୧୩ ଅପରାହ୍ନ ୨ଟା ୩୦ରେ ଏହା ଉତକ୍ଷେପଣ ହେବ ବୋଲି ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ। ସେ କହିଛନ୍ତି ଜୁଲାଇ ୧୨ରୁ ୧୯ ମଧ୍ୟରେ ଏକ ଲଞ୍ଚ ୱିଣ୍ଡୋ ରହିଛି ଏବଂ ଯେତେ ଶୀଘ୍ର ସମ୍ଭବ ଆମେ ଏହି ମିଶନ ଲଞ୍ଚ କରିବାକୁ ପ୍ରସ୍ତୁତ ରହିଛୁ।
ଚନ୍ଦ୍ରଯାନ-୩ ସ୍ପେଶକ୍ରାଫ୍ଟ ମଧ୍ୟ ଚନ୍ଦ୍ରକୁ ଯିବା ପାଇଁ ପ୍ରସ୍ତୁତ ରହିଛି। ତେବେ ରକେଟରେ ଏହା ଲୋଡ୍ ହେବା ପରେ ଏବଂ ସବୁ ପରୀକ୍ଷାନିରୀକ୍ଷା ସରିବା ପରେ ହିଁ ପ୍ରକୃତ ଉତକ୍ଷେପଣ ତାରିଖ ସ୍ପଷ୍ଟ ହେବ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଜିଏସ୍ଏଲ୍ଭି ମାର୍କ-ଥ୍ରୀ ରକେଟ୍ ସାହାଯ୍ୟରେ ଚନ୍ଦ୍ରଯାନ-୩କୁ ମହାକାଶକୁ ପଠାଯିବ। ୨୦୧୯ରେ ଚନ୍ଦ୍ରଯାନ-୨ ମିଶନ ଆଂଶିକ ସଫଳ ହେବା ପରେ, ଚନ୍ଦ୍ରଯାନ-୩ ହେଉଛି ଭାରତର ତୃତୀୟ ଚନ୍ଦ୍ର ଅଭିଯାନ। ଏଥିରେ ଚନ୍ଦ୍ରପୃଷ୍ଠକୁ ଲ୍ୟାଣ୍ଡର ଓ ରୋଭର ପଠାଯିବ।ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ଏବଂ ଚନ୍ଦ୍ରପୃଷ୍ଠରେ ରୋଭରକୁ ଗଡ଼ାଇବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ରହିବ। ଏହି ମିଶନ ପାଇଁ ଖର୍ଚ୍ଚ ହେବ ୬୧୫ କୋଟି ଟଙ୍କା।ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ଭାରତର ପ୍ରଥମ ସୂର୍ୟ୍ୟ ମିଶନ 'ଆଦିତ୍ୟ-L1' ସଂପର୍କରେ ମଧ୍ୟ ସୂଚନା ଦେଇଛନ୍ତି ଯେ, ଏଥିପାଇଁ ଅଗଷ୍ଟ ଶେଷ ଆଡ଼କୁ ଲକ୍ଷ୍ୟ ରଖାଯାଇଛି।
Powered by Froala Editor