ଭୂସ୍ଖଳନ ଯୋଗୁଁ ରାସ୍ତା ଜାମ୍ : ପିଲା ଛୁଆଙ୍କୁ ଧରି ଫସିଛନ୍ତି ଶତାଧିକ ପର୍ଯ୍ୟଟକ
![ଭୂସ୍ଖଳନ ଯୋଗୁଁ ରାସ୍ତା ଜାମ୍ : ପିଲା ଛୁଆଙ୍କୁ ଧରି ଫସିଛନ୍ତି ଶତାଧିକ ପର୍ଯ୍ୟଟକ](https://odishanewslens.com/news_gallery/22511_1687806986.jpg)
ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଓ ଅନେକ ଭୂସ୍ଖଳନ ଯୋଗୁ ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଅବରୋଧ ହୋଇଛି। ରାଜପଥ ପ୍ରାୟ ୧୫ କିମି ପର୍ଯ୍ୟନ୍ତ ଜାମ୍ ହୋଇଯାଇଛି। ଫଳରେ ବହୁ ସଂଖ୍ୟାରେ ଲୋକ ଫସି ରହିଛନ୍ତି। ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ପଥର ଖଣ୍ଡ ଗୁଡ଼ିକୁ ବିସ୍ଫୋରଣ କରି ସେଠାରୁ ହଟା ଯାଉଛି। ତେବେ ରାସ୍ତା ପୂରା ସଫା ହେବାକୁ ଆହୁରି ୭/୮ ଘଣ୍ଟା ଲାଗିଯିବ ବୋଲି ନିୟୋଜିତ ସରକାରୀ କର୍ମଚାରୀମାନେ କହୁଥିବା ଯୋଗୁ ଅଟକି ରହିଥିବା ପର୍ଯ୍ୟଟକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।
ଉକ୍ତ ପାର୍ବତ୍ୟାଞ୍ଚଳରେ ବର୍ଷା ଲାଗିରହିବା ସହ ଭୂସ୍ଖଳନ ଯୋଗୁ ରବିବାର ସନ୍ଧ୍ୟାରୁ ରାଜପଥ ଅବରୋଧ ହୋଇ ରହିଛି। ରାସ୍ତା ଅବରୋଧ କରିଥିବା ବଡ଼ ଶିଳାଖଣ୍ଡ ଗୁଡ଼ିକୁ ଭାଙ୍ଗିବା ପାଇଁ ବିସ୍ଫୋରକ ବ୍ୟବହାର କରାଯାଉଛି। ପର୍ଯ୍ୟଟକମାନେ ପିଲାଛୁଆ ଓ ପରିବାର ସହ ଆସିଥିବାରୁ ସେମାନେ ହୋଟେଲ ରୁମ୍ ନ ପାଇ ବହୁ ଅସୁବିଧାରେ ପଡ଼ିଛନ୍ତି। ସେମାନେ ପିଲାମାନଙ୍କ ପାଇଁ ବେଶୀ ଚିନ୍ତିତ ହୋଇପଡ଼ିଛନ୍ତି। ସେଠାରୁ ବାହାରିବାକୁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନ ଥିବା ଜଣେ ପର୍ଯ୍ୟଟକ କହିଛନ୍ତି। କେବେ ରାସ୍ତା ଖୋଲିବ ଏବଂ ପର୍ଯ୍ୟଟକମାନେ ଆଗକୁ ଯିବେ କି ପଛକୁ ଫେରିଯିବେ ତାହା ଠିକ୍ କରିପାରୁ ନାହାନ୍ତି।
କେହି କେହି ପୂରା ବସ୍ ଭଡ଼ାରେ ନେଇ ଏଠାକୁ ବୁଲିବାକୁ ମଧ୍ୟ ଆସିଛନ୍ତି। ଅନେକ ଆଖପାଖ ଢାବାରେ ଅପେକ୍ଷା କରିଛନ୍ତି। ବହୁତ ଲୋକ ଗତକାଲି ରାସ୍ତାରେ ରାତି ବିତାଇଥିଲେ। ରାସ୍ତାରେ ଶତାଧିକ କାର ସହିତ ବସ୍ ଓ ଅନ୍ୟାନ୍ୟ ଗାଡ଼ି ଫସି ରହିଛି।
Powered by Froala Editor