ପାଣିରୁ ବାହାରିବାକୁ ଖୁଣ୍ଟ ଧରିଦେଲେ, ଚାଲିଗଲା ଜୀବନ
ନୂଆଦିଲ୍ଲୀ ରେଲୱେ ଷ୍ଟେସନରୁ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ଷ୍ଟେସନରେ ପାଣି ଜମି ରହିବା ଯୋଗୁ କରେଣ୍ଟ ମାରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପୂର୍ବ ଦିଲ୍ଲୀର ପ୍ରୀତ ବିହାରରେ ରହୁଥିବା ସାକ୍ଷୀ ଆହୁଜା। ସେ ଆଜି ଭୋର ପ୍ରାୟ ୫.୩୦ରେ ଆଉ ଦୁଇ ଜଣ ମହିଳା ଓ ୩ ପିଲାଙ୍କୁ ଧରି ରେଳ ଷ୍ଟେସନରେ ପହଞ୍ଚିଥିଲେ। ବିଭିନ୍ନ ସ୍ଥାନରେ ପାଣି ଜମି ଥିବାରୁ ସେ ଗୋଟିଏ ବିଦ୍ୟୁତ ଖୁଣ୍ଟ ଉପରେ ଗୋଡ଼ ରଖି ଶୁଖିଲା ସ୍ଥାନକୁ ଯିବା ପାଇଁ ଚେଷ୍ଟା କରୁଥିଲେ।
ଯେମିତି ମହିଳା ଜଣକ ଉକ୍ତ ବିଦ୍ୟୁତ ଖୁଣ୍ଟକୁ ଧରିଥିଲେ। ତାଙ୍କୁ ବିଦ୍ୟୁତ ଝଟକା ଲାଗିଥିଲା। ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରେଲୱେ ପୁଲିସ ଘଟଣାର ଯାଞ୍ଚ କରୁଛି। ଯିଏ ବି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।
Powered by Froala Editor