ଦେଶର ସବୁ ବିରୋଧୀ ଦଳ ଏକାଠି ହେଲେ ବିଜେପିକୁ ହରାଯାଇପାରିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଏକ ବଡ ବୟାନ ରଖିଛନ୍ତି । ସେ କହିଛନ୍ତି, ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ ଅର୍ଥାତ କଂଗ୍ରେସର ଡିଏନଏ ବିହାରରେ ଅଛି । ଖାଲି ସେତିକି ନୁହେଁ, ଭାରତ ଯୋଡ ଯାତ୍ରା ସମୟରେ ବିହାରର ଲୋକମାନେ ସବୁ ସ୍ଥାନରେ ତାଙ୍କ ସହ ସାଙ୍ଗ ହେଇ ଚାଲିଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦ୍ୱାରା ଡକାଯାଇଥିବା ବିରୋଧୀ ଦଳ ବୈଠକରେ ଯୋଗ ଦେବା ଅବସରରେ ସେ ଏହି କଥା କହିଛନ୍ତି ।
ରାହୁଲ ଗାନ୍ଧୀ ନିଜ ଭାଷଣରେ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଦେଶରେ ଏବେ ଦୁଇଟି ବିଚାରଧାରାର ଲଢେଇ ଚାଲିଛି । ଗୋଟିଏ ଆମର ଭାରତ ଯୋଡ ଏବଂ ଅନ୍ୟଟି ହେଲା ଭାରତ ତୋଡ୍ । ବିଜେପି ଭାରତକୁ ଭାଙ୍ଗିବାକୁ ଏବଂ ହିଂସା ଖେଳାଇବାକୁ କାମ କରୁଛି । ଜବାବରେ କଂଗ୍ରେସ ଭାରତକୁ ଯୋଡିବାକୁ କାମ କରୁଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ତେବେ ଦେଶର ସବୁ ବିରୋଧୀ ଦଳ ଏକାଠି ହେଲେ ବିଜେପିକୁ ହରାଯାଇପାରିବ ବୋଲି ବି ସେ କହିଛନ୍ତି ।
ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, କର୍ଣ୍ଣାଟକରେ ବିଜେପି ବିଜୟୀ ହେବ ବୋଲି ଦାବି କରୁଥିଲା । ହେଲେ କଂଗ୍ରେସ ପାର୍ଟି ଏକାକି ଠିଆ ହେଇଥିଲା । ଯାହା ଫଳରେ କର୍ଣ୍ଣାଟକରେ ବିଜେପି ଗାଏବ୍ ହେଇଗଲା । ଆଗକୁ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ ମଧ୍ୟ ବିଜେପି ଦେଖିବାକୁ ମିଳିବନି । କଂଗ୍ରେସର ଅର୍ଥ ହେଲା ଗରିବଙ୍କ ସହ ଛିଡା ହେବା, ଏବଂ ତାଙ୍କ ପାଇଁ କାମ କରିବା ।
ସୂଚନାଯୋଗ୍ୟ ଯେ, ବିହାରର ରାଜଧାନୀ ପାଟନାରେ ଆଜି ହେଉଛି ମୋଦୀ ବିରୋଧୀ ମେଳି । ୨୦୨୪ ସାଧାରଣ ନିର୍ବାଚନରେ ମୋଦୀଙ୍କୁ ମିଳିତ ଭାବେ ଟକ୍କର ଦେବାକୁ ଏଥିରେ ରଣନୀତି ପ୍ରସ୍ତୁତ ହେବ । ଏଥିପାଇଁ କଂଗ୍ରେସ ସମେତ ବିରୋଧୀ ନେତାଙ୍କୁ ନୀତିଶ କୁମାର ନିମନ୍ତ୍ରଣ ଦେଇଥିଲେ ।
Powered by Froala Editor