ଆମେରିକା ଦେଲା ଅନୁମତି : ମାର୍କେଟରେ ବିକ୍ରି ହେବ ଲ୍ୟାବରୁ ତିଆରି ମାଂସ
ପ୍ରଥମ ଥର ପାଇଁ ଆମେରିକୀୟ ‘ରେଗୁଲେଟର୍’ମାନେ ପରୀକ୍ଷାଗାରରେ ପ୍ରାଣୀ ଜୀବକୋଷରୁ ପ୍ରସ୍ତୁତ କୁକୁଡ଼ା ମାଂସ ବିକ୍ରୟ ପାଇଁ ଅନୁମତି ଦେଇଛନ୍ତି। ଜୀବହତ୍ୟା ନ କରି ପରୀକ୍ଷାଗାରରେ ‘ସେଲ୍-କଲ୍ଟିଭେଟେଡ୍’ ବା ‘କଲ୍ଚର୍ଡ୍’ ମାଂସ ତିଆରି କରାଯାଉଥିଲା । ଏଥିରେ ସଫଳ ହୋଇଥିଲେ ହେଁ ବିକ୍ରି କରିବାକୁ ଅନୁମତି ମିଳିନଥିଲା । କିନ୍ତୁ ଅନୁମତି ପରେ ଏବେ ଏହି ମାଂସ ବିକ୍ରି କରିହେବ ।
ଏହି ମାଂସ ଯୋଗାଇବା ଲାଗି ‘ଏଗ୍ରିକଲ୍ଚର୍ ଡିପାର୍ଟମେଣ୍ଟ୍’ ‘ଅପ୍ସାଇଡ୍ ଫୁଡ୍ସ୍’ ଓ ‘ଗୁଡ୍ ମିଟ୍’କୁ ଅନୁମତି ଦେଇଛନ୍ତି। କାଲିଫର୍ଣ୍ଣିଆର ୨ଟି କମ୍ପାନି ଦେଶର ରେସ୍ତୋରାଁ ଏବଂ ସୁପର୍ମାର୍କେଟ୍କୁ ମାଂସ ଯୋଗାଣ କରିପାରିବେ। ଜୀବକୋଷରୁ ମାଂସ ପ୍ରସ୍ତୁତି କରିବା ଲାଗି ବିଶ୍ବବ୍ୟାପୀ ୧୫୦ରୁ ଅଧିକ କମ୍ପାନି ଗୁରୁତ୍ବାରୋପ କରୁଛନ୍ତି। ସେମାନେ କୁକୁଡ଼ା, ଘୁଷୁରି, ମେଣ୍ଢା, ମାଛ ଓ ଗୋରୁ ଆଦି ମାଂସ ପ୍ରସ୍ତୁତ କରିବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜୀବନ୍ତ ପ୍ରାଣୀର ଜୀବକୋଷରୁ ଏହି ମାଂସ ‘ଷ୍ଟିଲ୍ ଟ୍ୟାଙ୍କ୍’ରେ ପ୍ରସ୍ତୁତ କରାଯାଏ। ପ୍ରଥମେ ଏହି ମାଂସ ଚାଦର ବା ବଡ଼ ‘ସିଟ୍’ ଆକାରରେ ବାହାରେ। ପରେ ତାକୁ କଟା କଟି କରି ଚିକେନ୍ କଟ୍ଲେଟ୍ ଓ ସସେଜ୍ ଆକୃତି ଦିଆଯାଇ ବିକ୍ରୟ କରାଯାଏ।
Powered by Froala Editor