ଟଙ୍କାଟିଏ ଦେଇନାହାନ୍ତି, ୫ ଷ୍ଟାର ହୋଟେଲରେ ୨ ବର୍ଷ ରହି ଫେରାର
୫ ଷ୍ଟାର ହୋଟେଲରେ ୨ ବର୍ଷ ରହଣି । ସେ ପୁଣି ବିନା ଟଙ୍କାରେ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏହା ସତ ଯେ, ଜଣେ ବ୍ୟକ୍ତି ଏକ ୫ ଷ୍ଟାର ହୋଟେଲରେ ୨ ବର୍ଷ ରହିବା ପରେ ବି ଟଙ୍କାଟିଏ ଦେଇନାହାନ୍ତି । ଏନେଇ ହୋଟେଲ ପକ୍ଷରୁ ମାମଲା ରୁଜୁ ହୋଇଛି ।
‘ରୋଜିଟ୍ ହାଉସ୍’ ୫ ଷ୍ଟାର ହୋଟେଲକୁ ପରିଚାଳନା କରୁଥିବା ‘ବାର୍ଡ ଏୟାର୍ପୋର୍ଟସ୍ ହୋଟେଲ୍ ପ୍ରାଇଭେଟ୍ ଲିମିଟେଡ୍’ର ପ୍ରତିନିଧି ବିନୋଦ ମାଲହୋତ୍ରା ଦେଇଥିବା ‘ଏଫ୍ଆଇଆର୍’ରେ ଉଲ୍ଲେଖ ଅଛି ଯେ, ହୋଟେଲ୍ରେ ୬୦୩ ଦିନ ଅବସ୍ଥାନ କରିଥିବା ଅଙ୍କୁଶ ଦତ୍ତ ନାମକ ଉକ୍ତ ବ୍ୟକ୍ତିଜଣକ ବିଲ୍ ବାବଦକୁ ୫୮ ଲକ୍ଷ ଟଙ୍କା ନ ଦେଇ ପଳାଇଯାଇଛନ୍ତି। ହୋଟେଲ୍ର ‘ଫ୍ରଣ୍ଟ୍ ଅଫିସ୍ ଡିପାର୍ଟମେଣ୍ଟ୍’ର ମୁଖ୍ୟ ପ୍ରେମ ପ୍ରକାଶ ସମସ୍ତ ନିୟମ ଉଲ୍ଲଂଘନ କରି ଦତ୍ତଙ୍କୁ ଏତେ ଦିନ ଧରି ହୋଟେଲ୍ରେ ରହିବାକୁ ଅନୁମତି ଦେଇଥିଲେ।
ଅଙ୍କୁଶ ବିଭିନ୍ନ ତାରିଖରେ ୧୦ ଲକ୍ଷ, ୭ ଲକ୍ଷ ଓ ୨୦ ଲକ୍ଷ ଟଙ୍କାର ଚେକ୍ ଦେଇଥିବା କଥା ହୋଟେଲ୍ ଦୃଷ୍ଟିକୁ ଆସିଛି। କିନ୍ତୁ, ସେଗୁଡ଼ିକ ‘ବାଉନ୍ସ୍’ ହୋଇଯାଇଛି । ବୋଧହୁଏ ପ୍ରେମ ପ୍ରକାଶ ଦତ୍ତଙ୍କଠାରୁ ନଗଦ ଅର୍ଥ ଗ୍ରହଣ କରିଛନ୍ତି। ସେଥିପାଇଁ ରେକର୍ଡ ଅଦଳବଦଳ କରି ତାଙ୍କୁ ବିନା ଦେୟରେ ଦୀର୍ଘ ଦିନ ଧରି ହୋଟେଲ୍ରେ ରହିବାକୁ ଅନୁମତି ଦେଇଥିଲେ।
Powered by Froala Editor