ପୁଲିସ ରୋକିଥିଲା, ତଥାପି ବିବାହ ବନ୍ଧନରେ ବାନ୍ଧିହେଲେ ଅଖିଳ-ଅଲିଫିଆ
ଜଣେ ହିନ୍ଦୁ ଯୁବକ ଓ ଜଣେ ମୁସଲମାନ ଯୁବତୀଙ୍କ ବିବାହରେ କେରଳ ପୁଲିସ ବାଧା ସୃଷ୍ଟି କରିବାର କିଛି ଦିନ ପରେ ଦୁହେଁ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭିନ୍ନ ଧର୍ମର ହୋଇଥିଲେ ହେଁ ପ୍ରେମ ସେମାନଙ୍କୁ ସାତ ଜନ୍ମର ସାଥୀ କରିଛି। ନିଜ ପ୍ରେମକୁ ପାଇବା ପାଇଁ ମଧ୍ୟ ସେମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି।
ଅଲଫିଆଙ୍କ ପରିବାର ଲୋକେ କାୟାମକୁଲମ ଥାନାରେ ନିଖୋଜ ଅଭିଯୋଗ ଆଗତ କରିଥିଲେ। କିନ୍ତୁ ଜୁନ୍ ୧୬ ତାରିଖରେ ଘରୁ ବାହାରିଥିବା ଅଲଫିଆ ନିଜ ଇଚ୍ଛାରେ ଘରୁ ଯାଇଥିବା କୋଭାଲମ୍ ପୁଲିସକୁ ଜଣାଇଥିଲେ। ଜୁନ୍ ୧୭ରେ ଅଲଫିଆ (୧୮) କେରଳର ତିରୁଅନନ୍ତପୁରମର ଏକ ମନ୍ଦିରରେ ଅଖିଳ (୨୧)ଙ୍କୁ ବିବାହ କରିବାକୁ ଯାଉଥିଲେ।
ତେବେ ଅନ୍ତଃଧର୍ମୀ ଦମ୍ପତିଙ୍କ ଏହି ବିବାହରେ ପୁଲିସ ବାଧା ସୃଷ୍ଟି କରିଥିଲା। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପୁଲିସ ଅଲଫିଆଙ୍କୁ ଘଟଣାସ୍ଥଳରୁ ଟାଣି ନେଉଥିବାର ଦେଖିବାକୁ ମିଳିଛି। ଅଲଫିଆ ଅଭିଯୋଗ କରିଛନ୍ତି ଯେ ପୁଲିସ କର୍ମଚାରୀମାନେ ତାଙ୍କ ପ୍ରତି ଅସଦାଚରଣ କରିଥିଲେ। ଏହାକୁ ନେଇ ବେଶ ତମ୍ଭିତୋଫାନ ମଧ୍ୟ ଦେଖାଯାଇଥିଲା। ହେଲେ ଆଜି ପୁଲିସର ନାଲି ଆଖି କିମ୍ବା ପରିବାର ଲୋକଙ୍କ ତାଗିଦ ଅଖିଲ ଓ ଅଲଫିଆଙ୍କୁ ଅଲଗା କରିପାରିନି। ସେମାନେ ବିବାହ ବନ୍ଧନରେ ସବୁ ଦିନ ପାଇଁ ବାନ୍ଧି ହୋଇଛନ୍ତି।
Powered by Froala Editor