ଦୁଇ ଦିନିଆ କନ୍ଧମାଳ ଗସ୍ତରେ ‘୫-ଟି’ ସଚିବ ଭି.କେ ପାଣ୍ଡିଆନ
ଫୁଲବାଣୀ: ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସୁଛନ୍ତି ‘୫-ଟି’ ସଚିବ ଭି.କେ ପାଣ୍ଡିଆନ। ଶୁକ୍ରବାର ଅପରାହ୍ନରେ ଫୁଲବାଣୀରେ ପହଞ୍ଚିବା ପରେ ଦୁଇ ଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ବହୁ କାର୍ୟ୍ୟକ୍ରମରେ ଯୋଗ ଦେବେ।ସୂଚନା ଅନୁଯାୟୀ, ‘୫-ଟି’ ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାର ଅପରାହ୍ନ ୪ଟା ବେଳେ ଗୁଦାରୀ ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ସେଠାରୁ ବଲସକୁମ୍ପା ଯାଇ ବରାଳଦେବୀ ମନ୍ଦିର ପରିଦର୍ଶନ କରିବେ। ସେଠାରୁ ଫୁଲବାଣୀସ୍ଥିତ କନ୍ଧମାଳ ଷ୍ଟାଡିୟମ ଆସି ପ୍ରସ୍ତାବିତ ସ୍ପୋର୍ଟସ କମ୍ପେ୍ଲକ୍ସ ନେଇ ବିଚାର ଆଲୋଚନା କରିବା ସହିତ ନାଗରିକ ସମାଜ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ସେଠାରୁ ଫୁଲବାଣୀ ନୂଆ ବସ୍ଷ୍ଟାଣ୍ଡ ଯାଇ କାର୍ୟ୍ୟର ପ୍ରଗତି ଅନୁଧ୍ୟାନ କରିବେ। ସନ୍ଧ୍ୟାରେ କରୋନେସନ ପଡ଼ିଆଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗଦେଇ ବ୍ୟାଙ୍କ ମିତ୍ର, ଏମବିକେ ଓ ମିଶନ ଶକ୍ତି ସଦସ୍ୟାମାନଙ୍କ ସହ ଆଲୋଚନା କରିବେ। ପରେ ପୁଲିସ ରିଜର୍ଭ ପଡ଼ିଆରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବେ।
ଶନିବାର ସକାଳେ ଉଦ୍ୟାନ କୃଷି କାର୍ୟ୍ୟାଳୟ ପରିସରରେ ଏସ୍ଏଚ୍ଜି ମାନଙ୍କ ଦ୍ୱାରା ଚାଲିଥିବା ପ୍ରକ୍ରିୟାକରଣ ଉଦ୍ୟୋଗ ପରିଦର୍ଶନ କରି ତିଲକପଡ଼ାଠାରେ ନିର୍ମାଣାଧୀନ ମେଡିକାଲ କଲେଜର ଅଗ୍ରଗତି ନେଇ ଅନୁଧ୍ୟାନ କରିବାର କାର୍ୟ୍ୟକ୍ରମ ରହିଛି। ସେଠାରୁ ଫିରିଙ୍ଗିଆ ଯାଇ ଡିଣ୍ଡିରା ଗାଁ ଆଦର୍ଶ ବିଦ୍ୟାଳୟ, ଫିରିଙ୍ଗିଆ ମିଶନ ଶକ୍ତି କାଫେ, ମିନି ଷ୍ଟାଡିୟମ, ରତଙ୍ଗ ଉଚ୍ଚ ବିଦ୍ୟାଳୟ, ରତଙ୍ଗ ଆଦର୍ଶ ପୋଖରୀ ଏବଂ ବନ୍ଧଗଡ଼ କସମ କାର୍ୟ୍ୟାଳୟ ପରିଦର୍ଶନ କରିବେ। ଏହାପରେ କେ.ନୂଆଗାଁ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ଓ ମାହାସିଙ୍ଗ ପଥପ୍ରାନ୍ତ ସୁବିଧା କେନ୍ଦ୍ର ତଦାରଖ କରିବାର କାର୍ୟ୍ୟକ୍ରମ ରହିଛି। ସେଠାରୁ ବାଲିଗୁଡା ଯାଇ ପାଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରିବେ।
ଏହାପରେ ‘୫-ଟି’ ସଚିବ ବାଲିଗୁଡ଼ା ଆମ ଡାକ୍ତରଖାନା ଓ ମିନି ଷ୍ଟାଡିୟମ ପରିଦର୍ଶନ କରି ସେଠାରୁ ଦାରିଙ୍ଗବାଡ଼ି ଅଭିମୁଖେ ଗସ୍ତ କରିବେ। ଦାରିଙ୍ଗବାଡ଼ିର ହିଲ ଭିୟୁ ପାର୍କ, ଇକୋ କଟେଜ୍ ଓ ମିନି ଷ୍ଟାଡିୟମ ଅନୁଧ୍ୟାନ କରିବା କାର୍ୟ୍ୟକ୍ରମ ରହିଛି। ସେଠାରୁ ଜି.ଉଦୟଗିରି ଆସି କଳିଙ୍ଗ ମହାବିଦ୍ୟାଳୟରେ ବିଭିନ୍ନ ଏସ୍ଏଚ୍ଜି, ନାଗରିକ କମିଟି ଓ ସାମାଜିକ ସଙ୍ଗଠନ କର୍ମକର୍ତ୍ତାଙ୍କ ସହ ବିଚାର ବିମର୍ଶ କରିବେ। ଏହାପରେ ଜି.ଉଦୟଗିରି ମିନି ଷ୍ଟାଡିୟମ ଓ ଇନ୍ଡୋର ଷ୍ଟାଡିୟମ ପରିଦର୍ଶନ କରିବା କାର୍ୟ୍ୟକ୍ରମ ଆପାତତଃ ଚୂଡ଼ାନ୍ତ ହୋଇଛି।
Powered by Froala Editor